ଗଞ୍ଜାମ,ନିୟୁଜିଲ୍ୟାଣ୍ଡର ଏକ ହୋଟେଲରେ ନିଯୁକ୍ତି କରାଇଦେବା ବାହାନାରେ ଜଣେ ଦୁର୍ବୃତ ୨ ଲକ୍ଷ ୬୮ ହଜାର ଟଙ୍କା ଜଣକ ଠାରୁ ଠକି ନେଇଥିବା ଅଭିଯୋଗ ହୋଇଛି । ଛତ୍ରପୁର ଅଂଚଳର ଜଣେ ବ୍ୟକ୍ତି ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।
ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ମୁତାବକ ନିୟୁଜିଲ୍ୟାଣ୍ଡର ଏକ ହୋଟେଲରେ ନିଯୁକ୍ତି ପାଇଁ ଗତ ମାସ ୯ ତାରିଖରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଏଥିସହ ତାଙ୍କ ମେଲ୍ ଆଇଡିକୁ ମଧ୍ୟ ନିଯୁକ୍ତି ପାଇଁ ଅଫର୍ ଲେଟର ଓ ଭିସା ଆପ୍ରୁଭାଲ୍ ଲେଟର ମଧ୍ୟ ଆସିଥିଲା । ସେ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଇ ମେଲ୍ ଜରିଆରେ ପଠାଇଥିଲେ । ଏହାପରେ ଫୋନ୍ ରେ ତାଙ୍କ ସାକ୍ଷାତକାର ନିଆଯାଇଥିଲା । ସେ ଭିସା ପ୍ରୋସେସ୍, ବର୍ଡ଼ର କ୍ଲିୟରାନ୍ସ, ଏଂଟ୍ରି ଗେଟ୍ ପାସ୍ ଆଦି ପାଇଁ ସେମାନଙ୍କର ଦାବି ମୁତାବକ ଅନ୍ ଲାଇନ୍ ରେ ୨ ଲକ୍ଷ ୬୮ ହଜାର ୫୮୦ ଟଙ୍କା ସେମାନେ ଦେଇଥିବା ବିଭିନ୍ନ ଆକାଉଂଟରେ ପଇଠ କରିଥିଲେ । ପୁଣି ଥରେ ମେଡ଼ିକାଲ ଏବଂ ଭିସା ଷ୍ଟାମ୍ପିଙ୍ଗ ପାଇଁ ୧ ଲକ୍ଷ ୩୫ ହଜାର ଟଙ୍କା ମାଗିବାରୁ ତାଙ୍କର ସନ୍ଦେହ ହୋଇଥିଲା । ସେ ଆଉ ଟଙ୍କା ଦେଇନଥିଲେ । ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ଵାରସ୍ଥ ହୋଇଥିଲେ ।