ଗଞ୍ଜାମ, ଆସନ୍ତା ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବ -୨୦୨୨ରେ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କୁ ନେଇ ଚୟନ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ କୁମାର ପରିଡ଼ା ଏହି ଚୟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାଂସ୍କୃତିକ କମିଟିର ସଭ୍ୟ ଭାବେ ସଂସ୍କୃତି ବିଭାଗର ପୂର୍ବତନ ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ଅନିଲ କୁମାର ପାତ୍ର, ଡଃ. ମିହିର କୁମାର ତ୍ରିପାଠୀ, ନାରାୟଣ ମହାକୁଡ଼ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଗଞ୍ଜାମ ଜିଲ୍ଲାର କଳାକାରଙ୍କୁ ପ୍ରାଧାନ୍ୟ ଦେବା ସହ ଯେଭଳି ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁତ୍ଵ ଦେଇଛନ୍ତି । ଦଳଗତ ନୃତ୍ୟ ପରିବେଷଣ କରିବା ସକାଶେ ଆବେଦନ କରିଥିବା ୯୨ଟି ଅନୁଷ୍ଠାନ ମଧ୍ୟରୁ ପ୍ରଥମ ଦିନରେ ୩୮ଟି ଦଳର ଚୟନ ହୋଇଥିବା ବେଳେ ଅବଶିଷ୍ଟ ଚୟନ କରାଯିବ ବୋଲି ଜଣାପଡିଛି । ଯେଉଁ ଅନୁଷ୍ଠାନ ଗୁଡିକ ଆବେଦନ କରିନାହାଁନ୍ତି ସେମାନେ ବି ଚୟନ ପ୍ରକ୍ରିୟାରେ ଭାଗ ନେଇପାରିବେ । ଅନୁଷ୍ଠାନ ଗୁଡିକ ପୂର୍ବରୁ ପରିବେଷଣ କରିଥିବା ନୃତ୍ୟର ରେକଡ଼ିଂ ଭିଡ଼ିଓ ସାଙ୍ଗରେ ଆଣିବାକୁ କୁହାଯାଇଛି । ଚୟନ ହେବା ପରେ ଅନୁଷ୍ଠାନ ଗୁଡିକ ଗୋପାଳପୁର ବେଳାଭୂମି ମହୋତ୍ସବ, ବ୍ରହ୍ମପୁର ଠାରେ ଆସନ୍ତା ଜାନୁଆରୀ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ଲିଶ୍ରୀ ମେଳା ମହୋତ୍ସବ ଓ ଛତ୍ରପୁର ଠାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବା ସକାଶେ ସୁଯୋଗ ପାଇବେ ।
Related Stories
November 23, 2024