ରାଉରକେଲା, ରାଉରକେଲା ନିକଟ ନୂଆଗାଁ ଅର୍ନ୍ତଗତ ଫୁଲଝର ଠାରେ ଥିବା ଏକ ଘରୋଇ ବିଦ୍ୟାଳୟ ପରିସରରେ ଚାଲିଥିବା ଏକ ବେଆଇନ ବିଦେଶୀ ମଦ ବଟଲିଂ କାରଖାନାକୁ ରାଉରକେଲା ଅବକାରୀ ବିଭାଗ ଠାବ କରିଛି। ସେଠାରୁ ୧୨୪୮ ବୋତଲ ମଦ ଜବତ ହେବା ସହ ଏହା ୯୩୬ ଲିଟର ହେବ ଓ ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
ରାଉରକେଲା ଠାରେ ଅବକାରୀ ବିଭାଗର କମିଶନର ଅଫିସ ହେବା ପରେ ଜିଲ୍ଲାରେ ଗଂଜେଇ, ନକଲି ମଦ କାରବାର ସମେତ ଏହାର ଚୋରା କାରବାର ସାଂଗକୁ ବ୍ରାଉନସୁଗାର, ଚରଶ ଭଳି କାରବାର ଦିନକୁ ଦିନ ବଢିଚାଲିଛି । ମଝି ମଝିରେ ଧରା ଯାଉଥିବା ଏହି ସବୁ ସାମଗ୍ରୀର ବିପୁଳ କାରବାର ତାର ଜ୍ଵଳନ୍ତ ଉଦାହରଣ । ରାଉରକେଲା ସହର ବର୍ତମାନ ବ୍ରାଉନସୁଗାର କାରବାରର ପେନ୍ଠସ୍ଥଳୀ ସାଜିଛି। ଏଠାରୁ ବୀରମିତ୍ରପୁର, ରାଜଗାଂଗପୁର, ସୁନ୍ଦରଗଡ ଆଦି ସ୍ଥାନକୁ ଚାଲାଣ ହେଉଥିବା ବେଳେ ଏସବୁ ଆରାମରେ ବାଲେଶ୍ଵର ଓ କଲିକତା ଅଂଚଳରୁ ଆସୁଥିବା ଖବର ଯୋର ଧରିଥିବା ବେଳେ ନୂଆଗାଁର ଫୁଲଝର ବିଦ୍ୟାଳୟରେ ବଟଲିଂ କାରଖାନା ଧରାପଡିବା ଘଟଣା ଜିଲ୍ଲାରେ ନକଲି ନିଶା କାରବାର ବଢିବାରେ ଲାଗିଥିବା ନେଇ ହେଉଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଅବକାରୀ ବିଭାଗ ଏହି କାରଖାନାକୁ ଠାବ କଲାପରେ କହିଛି ଯେ, ଏହି ମଦ ରାଂଚି ଅଂଚଳରୁ ଚାଲାଣ ହେଉଥିଲା, ବିଭିନ୍ନ ଯାଗାରୁ ବୋତଲ ସଂଗ୍ରହ କରାଯାଇ ନକଲି ଲେବୁଲ ଓ ସିଲ୍ ଦ୍ଵାରା ଏସବୁ ପ୍ରସ୍ତୁତ କରାଯାଇ ସହରାଂଚଳରେ ଥିବା ଢାବା, ବସ୍ତି ଗୁଡିକରେ ଥିବା ଚୋରା ମଦବେପାରୀ ମାନଂକୁ ଏସବୁ ଚାଲାଣ କରାଯାଉଥିଲା । ଅନେକ ସମୟରେ ବିଦେଶୀ ମଦ ଦୋକାନ ଗୁଡିକରେ ନକଲି ବିଦେଶୀ ମଦ ବିକ୍ରୀ ହେଉଥିବାର ଯେଉଁସବୁ ଅଭିଯୋଗ ହେଉଥିଲା ତାହା ଏହି କାରବାରରୁ ଅଧିକ ସୁଦୃଢ ହୋଇଥିବା ଜଣାପଡିଛି । ରାଉରକେଲା ସମେତ ବେଦବ୍ୟାସ, ରାଜଗାଂଗପୁର, ରାସ୍ତାକଡରେ ଥିବା ଢାବା ଗୁଡିକରେ ଏସବୁ ମଦ ଅଧିକରୁ ଅଧିକ ଚାଲିଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ ଏନେଇ ସଂପୁର୍ଣ ନିରବ ଦ୍ରଷ୍ଟା ସାଜିଛି। ଫଳରେ ଏହି ନକଲି ନିଶା କାରବାର ଲାଭ ଦାୟକ ହେବାରୁ ଏଠାରେ ଅତି ସହଜରେ ସୁପରଫାଇନ ବୁଦ୍ଧି ଲଗାଇ ଏକ ଶିକ୍ଷାନୁଷ୍ଠାନରେ ଏହି ବେପାରର କାରଖାନା ଲଗାଯାଇ କାରବାର ଚଳା ଯାଉଥିଲା ବୋଲି କୁହାଯାଉଛି । ପଡୋଶୀ ରାଜ୍ୟରେ ବିଦେଶୀ ମଦ ଶସ୍ତା ହୋଇଥିବା ବେଳେ ଓଡିଶାରେ ତାହା ମହଙ୍ଗା, ତେଣୁ ସେଠାରୁ ଚୋରାରେ ବିଦେଶୀ ମଦ ଓଡିଶାର ରାଉରକେଲା ଅଂଚଳକୁ ଚାଲାଣ କରାଯାଇ ବେପାର କରି ସଫଳ ହେବା ପରେ ସେହି ନାମରେ ନକଲି କାରବାର ଚଳାଇବା ଏହି ବେପାରୀଙ୍କୁ ସହାୟକ ହୋଇଛି । ତେଣୁ ରାଉରକେଲା ସମେତ ବିଭିନ୍ନ ଅଂଚଳରେ ଏହି କାରବାର ବଢିବାରେ ଲାଗିଛି ।