ବଲାଙ୍ଗିର, ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ ଦାବିରେ ପୁଇଁତଳା ବ୍ଲକର ଚାଷୀ ମାନେ ଆଜି ସକାଳୁ ବଲାଙ୍ଗିର – ସୋନପୁର ୫୭ ନଂ ଜାତୀୟ ରାଜପଥର ମଲମୁଣ୍ଡା ଠାରେ ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନ ଚାଷୀ ସଂଗଠନର ମିଳିତ ଆନୁକୁଲ୍ୟରେ ଜାତୀୟ ରାଜପଥ ଅବରୋଧ କରାଯାଇଥିବା ବେଳେ ଚାଷୀ ମାନେ ତାଙ୍କର ଦାବିରେ ଅଡି ବସିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଦୀର୍ଘ ସମୟ ଧରି ବଲାଙ୍ଗିର- ସୋନପୁର ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।
ବର୍ତମାନ ଧାନ ମଣ୍ଡି ଗୁଡିକରେ ଧାନ କିଣା ଚାଲିଛି । ହେଲେ ଜିଲ୍ଲା ପ୍ରଶାସନର ଧାନ କିଣା ବୈଠକରେ ଯେଉଁଭଳି ଭାବରେ ଚାଷୀଙ୍କ ସୁବିଧା କଥା କୁହାଯାଇଥିଲା ତାହା ହେଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । କଟନୀ ଛଟନୀ ନାମରେ ପ୍ରତି କ୍ୱିଂଟାଲ ପିଛା ୫ କିଲୋ ଲେଖାଏଁ କାଟ କରାଯାଉଛି । ସେହିଭଳି ମଣ୍ଡି ରେ ମିଲର୍ସ ଓ ସଂପାଦକଙ୍କ ମଧୁଚନ୍ଦ୍ରିକା ରହି ମଣ୍ଡିରେ ମିଲର୍ସ ମାନେ ସେହି ଧାନ କିଣୁଛନ୍ତି । ଏହି ସବୁ ସମସ୍ୟାର ସମାଧାନ କରିବାକୁ ଦାବି କରି ଆଜିର ରାସ୍ତା ରୋକ କରାଯାଇଥିବା ଚାଷୀ ମାନେ କହିଛନ୍ତି । ଖବର ପାଇ ଧାରଣାସ୍ଥଳରେ ଏଆରସି ଏସ ପହଂଚି ଚାଷୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ଚାଷୀ ମାନେ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଯାତ୍ରୀ ମାନେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ଚାଷୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ରବିବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦାବି କରିଥିଲେ । ମଣ୍ଡି ମାନଙ୍କରେ ଏଫଏକ୍ୟୁ ମାନ ନିର୍ଦ୍ଧାରଣ ପାଇଁ କୌଣସି ଯନ୍ତ୍ରପାତି ନଥିବା ବେଳେ କ୍ୱିଂଟାଲ ପିଛା ୫ କେଜି ଧାନ କାଟିନେବା, ଅଖା ବସ୍ତା ପ୍ରତି ୨୦ ଟଙ୍କା କଟାଯିବାକୁ ଚାଷୀ ମାନେ ପ୍ରତିବାଦ କରିଥିଲେ । ପୂର୍ବରୁ ଆନ୍ଦୋଳନକାରୀ ମାନେ ଧାନକିଣାରେ ଅସହଯୋଗ କରିବା ସହ ମଣ୍ଡି ଗୁଡିକୁ ବନ୍ଦ କରିଥିବା ବେଳେ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏହି ରାସ୍ତାରୋକ ଆନ୍ଦୋଳନରେ ଦୁଇ ଶହରୁ ଉର୍ଦ୍ଧ୍ଵ ଚାଷୀ ସାମିଲ୍ ହୋଇଛନ୍ତି ।