କନ୍ଧମାଳ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଡ଼ଃ. ଆମ୍ବେଦକାର ଛକରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କୁନି କୁନି ଛାତ୍ରଛାତ୍ରୀମାନେ ସ୍ବଦେଶୀ ଜିନିଷଗୁଡିକର ପ୍ରଦର୍ଶନ କରିଥିଲେ। ଡିସେମ୍ବର ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ସ୍ବଦେଶୀ ସପ୍ତାହ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଏହି ଅବସରରେ ବକ୍ତୃତା, ଚିତ୍ରାଙ୍କନ, ସଚେତନତା ରାଲି, ପଥପ୍ରାନ୍ତ ନାଟକ, ଦାସକାଠିଆ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ବେଳେ ଏହି ଅନୁଷ୍ଠାନର ଭାଇ ଭଉଣୀମାନେ ଘରେ ବ୍ୟବହୃତ କରୁଥିବା ବିଭିନ୍ନ ସ୍ବଦେଶୀ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ପନିପରିବା, ଫୁଲ ଫଳ ଆଦି ପ୍ରଦର୍ଶନ କରିବା ସହ ସେହି ଜିନିଷଗୁଡିକର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ।
ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ସ୍ବଦେଶୀ ଜିନିଷର ନାମ ସହ ତାର ବ୍ୟବହାର ବିଷୟରେ ଅବଗତ କରାଇବା ସହ ପ୍ରଥମରୁ ପରିବାର ଠାରୁ ଏ ସଚେତନତା ଆରମ୍ଭ ହେବା ଉଚିତ ବୋଲି କହିଥିଲେ। ମା”କୁ ମମି ନ କହି ମା” କିମ୍ବା ବୋଉ ବୋଲି ସମ୍ବୋଧନ କରିବାକୁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା ସମିତିର ସକ୍ରିୟ ସଦସ୍ୟ ବେଣୁଧର ମଝି, ଚନ୍ଦ୍ରମଣି ପଣ୍ଡା, ଉପ ସଭାପତି ପ୍ରସନ୍ନ କୁମାର ସାହୁ, ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ ମହୋଦୟ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଥିଲେ। ସ୍ବଦେଶୀ ଜିନିଷ ସଂଗ୍ରହରେ ଅଭିଭାବକ ଓ ଅଭିଭାବିକା ମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିଲା।