ପୁରୀ, ଆସନ୍ତା ଜାନୁଆରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ।ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଯିବ ବୋଲି ସ୍ଥିର ହୋଇଛି। ଗତକାଲି ସଂଧ୍ୟାରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ମହୋତ୍ସବ ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବକୁ ସମସ୍ତଙ୍କ ସହଯୋଗରେ ବର୍ଣ୍ଣାଢ୍ୟ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।
ପ୍ରାରମ୍ଭିକ ସୂଚନା ଦେଇ ମହୋତ୍ସବ କମିଟିର ଯୁଗ୍ମ ସମ୍ପାଦକ ଚକ୍ରଧର ମହାପାତ୍ର ୨୦୦୦ ମସିହା ଠାରୁ ଏହି ମହୋତ୍ସବ ଆୟୋଜନ ହୋଇ ଆସୁଅଛି। ତେବେ କରୋନା ପାଇଁ ୨ ବର୍ଷ ବନ୍ଦ ରହିଥିଲା। ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ବୋଲି କହିଥିଲେ। ୮ ଟି ଆଖଡା ଓ ୬୦ ଯାଗା ଘର ଏଥିରେ ସାମିଲ ହୋଇ ସେମାନଙ୍କ ପାରମ୍ପରିକ କଳା କୌଶଳ ଯଥା ସାହି ଯାତ, ନାଗା, ଆଖଡା ଇତ୍ୟାଦି ଏଥିରେ ପ୍ରଦର୍ଶନ କରିବେ ବୋଲି ସେ ସୂଚନା ଦେଇଥିଲେ। ସେହିପରି ଜାନୁଆରୀ ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଆୟୋଜନ କରାଯିବ ବୋଲି ସ୍ଥିର ହେଲା।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ, ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ଆଠ ସାହି ସମ୍ପାଦକ ନରେନ୍ଦ୍ର ମହାନ୍ତି, ଆଠ ସାହି ଆଖଡା ସଂଯୋଜକ ଶ୍ୟାମ ସୁନ୍ଦର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଓରମାସର ଡିଏସଏମଏସ ପ୍ରଶାନ୍ତ କୁମାର ଦାସ, କ୍ରିଡା ଅଧିକାରୀ ଚନ୍ଦନ ସାହୁ ଅନ୍ୟାନ୍ୟ ଅଧିକାରୀ ଓ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ।