ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନାରେ ଇତିମଧ୍ୟରେ ନୂତନ ଥାନାଧିକାରି ଭାବେ ବି. ରୁଦ୍ରିଆ ଯୋଗ ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ବେଶ ଚର୍ଚ୍ଚାରେ ରହି ଆସିଛି ସିନ୍ଧେକେଲା ଥାନା । ତେବେ ସେ ନିରିହ ନିଷ୍ପାପ ଶିଶୁର ବଳି ହେଉ କିମ୍ବା ଗୁଣି ଗାରେଡି ସନ୍ଦେହରେ କୋଉଠି ବୃଦ୍ଧଙ୍କୁ ଗାଁରେ ବୁଲାଇ ବୁଲାଇ ମାଡ ମାରିବା ସହ ପରିଶ୍ରା ଓ ବିଷ୍ଟା ଖୁଆଇବା ତ କୋଉଠି ଗୋଟିଏ ପରିବାରକୁ ଗୁଣି ଗାରେଡି ସନ୍ଦେହରେ ଗାଁରୁ ବାସନ୍ଦ କରିଦେବା ଭଲି ହୃଦୟ ବିଦାରକ ଘଟଣା ମନରୁ ନ ଲିଭୁଣୁ ମମିତା ମେହେର ହତ୍ୟାକାଣ୍ଡ, ପୋଲିସ ଥାନାରେ ଛେଳି ଚୋରି ଘଟଣା ଓ ଏବେ ଆଇଆଇସି ଆଲୋକ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ଏପରି ଅନେକ ଘଟଣା ଭିନ୍ନ ଭିନ୍ନ ସମୟରେ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଛି ଓ ସିନ୍ଧେକେଲା ଥାନା ଚର୍ଚ୍ଚାରେ ରହି ଆସିଛି । ତେବେ ଆଇଆଇସି ଆଲୋକ ବେହେରା ରବିବାର ଦିନ ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ସ୍ଥାନରେ ମଙ୍ଗଳବାର ସିନ୍ଧେକେଲା ଥାନାରେ ନୂତନ ଭାବେ ଯୋଗ ଦେଇଛନ୍ତି ଆଇଆଇସି ବି. ରୁଦ୍ରିଆ । ତେବେ ଏହି ବହୁଚର୍ଚ୍ଚିତ ଥାନାରେ ଯୋଗଦେବା ଆଗରୁ ସେ ପୁଇଁତଳା ଥାନା ଓ ତୁଷରା ଥାନାରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ତାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, କିଛି ବର୍ଷ ତଳେ ସିନ୍ଧେକେଲା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଯେଉଁଭଳି ସମ୍ପର୍କ ଥିଲା ତାକୁ ପୁନର୍ବାର ସ୍ଥାପିତ କରିବା ଦିଗରେ କାମ କରିବି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସିନ୍ଧେକେଲା ଅଞ୍ଚଳରେ ଅନେକ ବେଆଇନ କାରବାର ଖୁଲମଖୁଲା ଓ ଜୋରସୋରରେ ଚାଲିଛି। ତେବେ ଏହା ଉପରେ ରୋକ ଲଗାଇବା ନୂଆ ଥାନାଧିକାରିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।