ଗଂଜାମ,ଗମନା ଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁଁ ଅନେକ ରାସ୍ତା ନିର୍ମାଣରେ ବିଳମ୍ବ ଘଟୁଛି। ଫଳରେ ବିଭିନ୍ନ ଅସୁବିଧା ଯୋଗୁଁ ଲୋକମାନେ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏହିଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ଦିଗାପଡା ଗ୍ରାମରେ। ଏହି ଗ୍ରାମ ଦେଇ ଯାଉଥିବା କୋଦଳା ଠାରୁ ଲଠୁଳି ରଘୁନାଥପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପୁନଃଉଦ୍ଧାର ପାଇଁ ଦୀର୍ଘ ଦିନ ହେଲା ଅର୍ଥ ମଂଜୁର ହୋଇ କାମ ଆରମ୍ଭ ହୋଇଥିଲା। ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଦୀର୍ଘ ଦିନ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି। ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ଢିପ ହେବା ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ନିର୍ମାଣ କାର୍ଯ୍ୟ ନ ହେବାରୁ ବୁଧବାର ଦିନ ଦିଗାପଡା ସରପଞ୍ଚ ସମୀର କୁମାର ଶତପଥୀ ଓ ଗ୍ରାମବାସୀ ଏହି ରାସ୍ତାକୁ ଅବରୋଧ କରିବା ସହିତ ଟାୟାର ଜାଳି ପ୍ରତିବାଦ କରିଥିଲେ। ଖବର ପାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନିର୍ଦେଶ କ୍ରମେ ଏସ.ଆଇ. ଆରତୀ ବେହେରା ଓ ପୋଲିସ ଟିମ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଆଗାମୀ ତିନି ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଥାଉକି, ଏହି ଗ୍ରାମ ଠାରୁ ୧ କି.ମି. ଦୂରରେ ଗ୍ରାମ୍ୟ ଉନ୍ନୟନ କାର୍ଯାଳୟ ଥିଲେ ମଧ୍ୟ କୌଣସି ଅଧିକାରୀ ଆସି ନ ଥିଲେ। ଏଠାରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା ଅନେକ ସମୟରେ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ ମଧ୍ୟ ହେଉଛି ।