ପୁରୀ,ମାର୍ଗଶିର ପୂର୍ଣ୍ଣିମାର ଅନ୍ୟନାମ ପଣ୍ଡୁ ପୂର୍ଣ୍ଣିମା । ଲୋକମୁଖରେ ଏହା ‘ପଣ୍ଡୁ ପୂନେଇଁ’ । ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ‘ପଣ୍ଡୁ ନୃସିଂହ’ଙ୍କର ପୂଜା ହୋଇଥାଏ । ଏହି ପୂଜା ବା ଉତ୍ସବର ଅଙ୍ଗ ରୂପେ, ଶ୍ରୀମନ୍ଦିରର ଦକ୍ଷିଣୀ ଘରେ ଥିବା ଅଷ୍ଟଭୁଜ ଉଗ୍ରନୃସିଂହ ମୂର୍ତି ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀକ୍ଷେତ୍ରର ଚାରିଆଶ୍ରମ ଭ୍ରମଣ କରିଥାଆନ୍ତି ।
‘କଣ୍ଡୁ ଆଶ୍ରମ’ ଏହି ଚାରି ଆଶ୍ରମ ମଧ୍ୟରୁ ଗୋଟିଏ । ‘ବାଲ୍ମୀକି ରାମାୟଣ’, ‘ବ୍ରହ୍ମପୁରାଣ’ ଓ ‘ବିଷ୍ଣୁ ପୁରାଣ’ ଆଦିରେ କଣ୍ଡୁ ମୁନିଙ୍କର ଉପାଖ୍ୟାନ ଅଛି । ଗୋମତୀ ନଦୀ ତଟରେ ସେ ଆଶ୍ରମଟିଏ କରି ସେଠାରେ କଠୋର ତପସ୍ୟା କରୁଥିଲେ । ଗ୍ରୀଷ୍ମ କାଳରେ ପଂଚାଗ୍ନି ମଧ୍ୟରେ ରହି ଏବଂ ଶୀତକାଳରେ ଶୀତଳ ଜଳରେ ବୁଡ଼ି ତପ କରିବା ତାହାର ଅନ୍ତର୍ଭୁକ୍ତ ଥିଲା । ତାଙ୍କର ସେହି ତପସ୍ୟାରେ ଭୟଭୀତ ହୋଇ ଦେବରାଜ ଇନ୍ଦ୍ର ପ୍ରମ୍ଲୋଚା ନାମ୍ନୀ ଜଣେ ଅପ୍ସରୀଙ୍କୁ ତାଙ୍କର ତପଭଙ୍ଗ ପାଇଁ ପଠାଇଲେ । ପ୍ରମ୍ଲୋଚା ବହୁ ଉଦ୍ୟମ କରି ମୁନିଙ୍କର ତପ ଭଙ୍ଗ କଲା । କଣ୍ଡୁ ତପ ବଳରେ ନିଜର ବୟସକୁ ୧୬ ବର୍ଷକୁ କମାଇ ଦେଇ ତା’ ସହିତ ପ୍ରେମରସରେ ବୁଡ଼ି ରହିଲେ । ସେହିପରି ଭାବରେ ଅନେକ ବର୍ଷ ବିତିଗଲା । ଦିନେ ସଂଧ୍ୟା ସମୟରେ କଣ୍ଡୁଙ୍କର ସଂଧ୍ୟା ଗାୟତ୍ରୀ କରିବା କଥା ମନେ ପଡ଼ିଗଲା । କାଳେ ସୂର୍ଯ୍ୟ ଅସ୍ତ ହୋଇଯିବେ, ସେଥିପାଇଁ ସେ ତରବରରେ ଆଶ୍ରମରୁ ବାହାରିଲେ । ପ୍ରମ୍ଲୋଚା ତାହା ଦେଖି ତାଙ୍କୁ ତାତ୍ସଲ୍ୟ କରି କହିଲେ- ଏତେଗୁଡ଼ାଏ ବର୍ଷ ତ ବିତିଗଲାଣି; ଆଜି ଏଇ ଗୋଟିଏ ସଂଧ୍ୟା ବିତିଗଲେ କ’ଣ ବା ଅଶୁଦ୍ଧ ହୋଇଯିବ? ତାହା କଣ୍ଡୁଙ୍କୁ ନିଜର କୃତକର୍ମ ସମ୍ପର୍କରେ ସଚେତନ କଲା । ସେ ନିଜର ଭୁଲ୍ ବୁଝିପାରିଲେ ଏବଂ ପ୍ରମ୍ଲୋଚାଙ୍କୁ କ୍ରୋଧରେ ଚାହିଁଲେ । ସେଥିରେ ପ୍ରମ୍ଲୋଚା ଡରିଯାଇ ଆଶ୍ରମ ଛାଡ଼ି ସ୍ବର୍ଗରାଜ୍ୟକୁ ଚାଲିଗଲେ । ତାହାପରେ କଣ୍ଡୁ ମୁନି ନିଜର ପାପ ପ୍ରକ୍ଷାଳନ ପାଇଁ ପୁରୁଷୋତମ କ୍ଷେତ୍ର ପୁରୀକୁ ଚାଲିଆସିଲେ । ଏଠାରେ ଆଶ୍ରମ ସ୍ଥାପନ କରି ପୁରୁଷୋତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ, ପୁନଶ୍ଚ କଠୋର ତପସ୍ୟା କରି ମୋକ୍ଷ ଲାଭ କଲେ । କଣ୍ଡୁ ମୁନି ଥିଲେ ଶ୍ରୀନୃସିଂହଙ୍କର ଉପାସକ । ତେଣୁ ତାଙ୍କ ଆଶ୍ରମରେ ଉପାସିତ ନୃସିଂହ ‘କଣ୍ଡୁ ନୃସିଂହ’ ନାମରେ ପରିଚିତ । କିନ୍ତୁ, ଲୋକମୁଖରେ ସେ ‘ପଣ୍ଡୁ ନୃସିଂହ’ ହୋଇ ଯାଇଛନ୍ତି । ଶ୍ରୀମନ୍ଦିରରେ ପଣ୍ଡୁପୂର୍ଣ୍ଣିମା ଦିନରେ ତାଙ୍କର ପୂଜା ଅନୁଷ୍ଠିତ ହୋଇଥାଏ ।
କିନ୍ତୁ, କଣ୍ଡୁ ମୁନିଙ୍କର ଏ କାହାଣୀ ଆମକୁ ସୂଚାଏ- ଜଣେ କୌଣସି କାରଣରୁ ତପଭ୍ରଷ୍ଟ ହେଲେ ମଧ୍ୟ, ଚେଷ୍ଟା କଲେ ପୁଣି ନିଜର ପୂର୍ବସ୍ଥିତି ପାଇପାରେ ।