ପୁରୀ, ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଗତ ମାସ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ଥାତ ଡିସେମ୍ବର ୮ ତାରିଖରେ ପରିସମାପ୍ତ ହୋଇଛି। ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହି ସଂଶୋଧନ ପ୍ରକ୍ରିୟାରେ ୨୨୭୩୯ ଜଣ ନୂଆ ଭୋଟର ମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ଭୋଟର ତାଲିକାରେ ତଥ୍ୟ ସଂଶୋଧନ ପାଇଁ ୭୧୧୪ ଜଣ ଓ ୧୨୨୬୩ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପାଇଁ ଆବେଦନ ପତ୍ର ମିଳିଥିବା ସୂଚନା ଦେଇଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ ଏକ ସୁସ୍ଥ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସମସ୍ତଙ୍କ, ବିଶେଷ କରି ରାଜନୈତିକ ଦଳର ସହଯୋଗ ଜରୁରୀ। ବର୍ତ୍ତମାନ ଭୋଟର ତାଲିକା ସହ ଆଧାର ସଂଯୋଗର କାର୍ଯ୍ୟ ଚାଲିଥିବାରୁ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ରାଜବଲ୍ଲବ ନାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।