ଭୁବନେଶ୍ବର, ପଦ୍ମପୁର ବିଧାନସଭା ପାଇଁ ହୋଇଥିବା ଉପ ନିର୍ବାଚନର ମତ ଗଣନା ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି । ଏଥିରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂହ ବରିହା ଭାରୀ ବ୍ୟବଧାନରେ ବିଜୟୀ ହେବା ଆଡକୁ ଅଗ୍ରସର ହେଉଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ 13 ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ତାଙ୍କର ନିକଟତମ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ 24 ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ବର୍ତମାନ ସୁଦ୍ଧା 69, 250 ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 45,192 ପ୍ରତିଶତ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ 2304 ଭୋଟ ମିଳିଛି ।
ଆଜି ସକାଳ 8 ଟା ବେଳେ ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍ ଗଣତି କରାଯାଇଥିଲା । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ସୁରକ୍ଷା ଦୃଷ୍ଟିରୁ ଗଣତି କେନ୍ଦ୍ରର ୧୦୦ମିଟର ପରିଧି ଅଞ୍ଚଳକୁ କୌଣସି ଗାଡ଼ି ଯିବା ଉପରେ ବାରଣ କରାଯାଇଥିଲା । ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ସିଏପିଏଫ୍, ଏସ୍ଏପିଏଫ୍ ଏବଂ ସ୍ଥାନୀୟ ପୁଲିସକୁ ମୁତୟନ କରାଯାଇଥିଲା ।
ଗତ ପାଂଚ ତାରିଖ ଜିନ ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।