
ମାଲକାନଗିରି, ମାଲକାନଗିରି ଜିଲ୍ଲା କଂଗ୍ରେସ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥବା ଅଙ୍ଗନବାଡିକର୍ମୀ ଏବଂ ଆଶାକର୍ମୀଙ୍କୁ ଭେଟି ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ଏନେଇ କଂଗ୍ରେସ ତରଫରୁ ସରକାରଙ୍କୁ ଘେରାଯିବ ବୋଲି ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଧମକ ଦେଇଛନ୍ତି। ତୃଣମୂଳସ୍ତରରେ ଏହି ଦୁଇ ମହିଳା କର୍ମଚାରୀମାନେ କାମ କରି ଜିଲ୍ଲାର ବହୁ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଛନ୍ତି ସରକାର ଏମାନଙ୍କର ନ୍ୟାର୍ଯ୍ୟ ଦାବିକୁ ତୁରନ୍ତ ପୂରଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା। ଏହାପରେ ଜିଲ୍ଲା କଂଗ୍ରେସ ତରଫରୁ ସିଡିଏମଓଙ୍କୁ ଭେଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ଉପଚାର କରିବା ସହ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପ୍ଲେଟଲେଟ ମେସିନ ବସାଇବା ପାଇଁ ଦାବି କରାଯାଇଥିଲା।
ଜିଲ୍ଲାର ଡେଙ୍ଗୁ ରୋଗି କୋରାପୁଟ ମେଡିକାଲ ସହ ବାହାର ରାଜ୍ୟର ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ତୁରନ୍ତ ଦାବି ପୂରଣ କରାଯାଉ ବୋଲି କଂଗ୍ରେସ କହିଥିଲା। ଏହି ଦାବି ଗୁଡିକ ଉପସ୍ଥାପନା ବେଳେ କଂଗ୍ରେସର ଜି. ଶ୍ରୀନୀବାସ ରାଓ, ପ୍ରାଣକୃଷ୍ଣ ମଣ୍ଡଳ,ସରୋଜ ପାତ୍ର, ଇର୍ମା ପଡିଆମୀ ପ୍ରମୁଖ ଉପସ୍ଥିତ ଥିଲେ।