
-
୨୩ ରାଉଣ୍ଡରେ ହେବ ଭୋଟ୍ ଗଣତି
ଭୁବନେଶ୍ୱର, ପଦମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି (ଗୁରୁବାର) ଭୋଟ୍ ଗଣତି ହେବ । ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଏସମ୍ପର୍କରେ ସୂଚନା ଦେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି ଯେ ପଦମପୁରରେ ମୋଟ ୨୩ ରାଉଣ୍ଡରେ ଭୋଟ ଗଣତି ହେବ । ଆରଏମସି ଗୋଦାମରେ ହୋଇଥିବା ଗଣତି କେନ୍ଦ୍ରରେ ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ସକାଳ ୮ଟା ୩୦ରେ ଇଭିଏମ ଗଣତି ଆରମ୍ଭ ହେବ । ୩୧୯ଟି ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବାକୁ ଥିବାବେଳେ ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡ ଗଣତି ହେବ । ସମସ୍ତ ବୁଥ ଗଣତି ସରିଲେ ଯେକୌଣସି ୫ଟି ବୁଥର ଭିଭିପ୍ୟାଟ ମ୍ୟାଚ କରାଯିବ ।
ପ୍ରତି ଟେବୁଲରେ ୩ ଜଣ ରହିବେ । ଜଣେ କାଉଂଟିଂ ଆସିଷ୍ଟାଂଟ, ଜଣେ ମାଇକ୍ରୋ ଅବଜରଭର ମଧ୍ୟ ରହିବେ ।ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ଏଥର ନିର୍ବାଚନରେ ରେକର୍ଡ ହାରରେ ୮୧.୨୯ ପ୍ରତିଶତ ମତଦାନ ହୋଇଛି ।