
ଭୁବନେଶ୍ୱର, ପଦମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ନବୀନ ନିବାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଦମପୁରର ରିପୋର୍ଟ କାର୍ଡ ଦେଇଛନ୍ତି ଦଳୀୟ ନେତା । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକଙ୍କ ସହ ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା । ଅପରପକ୍ଷରେ ପଦମପୁରରେ ବିଜେଡି ବିପୁଳ ଭୋଟ୍ ରେ ବିଜୟୀ ହେବ ବୋଲି ମତ ଦେଇଛନ୍ତି ବିଜେଡି ନେତା ।
ପଦ୍ମପୁରରେ ଲୋକଙ୍କର ସମସ୍ୟା କଣ ଅଛି, ସରକାରୀ ଯୋଜନା ତଳ ସ୍ତରରେ କେମିତି ପହଁଚୁଛି, ଲୋକଙ୍କ ଆବଶ୍ୟକତା କଣ ରହୁଛି କିପରି ସମସ୍ୟାର ସମାଧାନ କରାଯିବ ବୋଲି ବିଜେଡି ନେତାମାନେ ଆଲୋଚନା କରିଛନ୍ତି । ସେ ସମ୍ପର୍କରେ ୧୫ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ହାଇ କମାଣ୍ଡଙ୍କ ତରଫରୁ ନିର୍ଦେଶ ଦିଆଯାଇଛି । ବିଜୟ ପରେ ଦାୟିତ୍ୱରେ ଥିବା ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବେ ବୋଲି ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା ପରେ ବିଜେଡି ନେତା ତଥା ବରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ସୁଧୀର ସାମଲ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ସାରଦା ନାୟକ, ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ପୁଷ୍ପନ୍ଦ୍ର ସିଂଦେଓ ଏହି ସୂଚନା ଦେଇଛନ୍ତି ।