
-
ଗୀତା ଶ୍ଳୋକରେ ପ୍ରକମ୍ପିତ ହେଲା ସିଂହଦ୍ୱାର |
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପବିତ୍ର ଗୀତା ଜୟନ୍ତୀ ଅବସରରେ ପୁରୀରେ ଅନୁଷ୍ଠିତ ହୋଇଛି ସମୂହ ଗୀତା ପାଠ ଭଳି ଏକ ଭବ୍ୟ କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ସମ୍ମୁଖସ୍ଥ ସିଂହଦ୍ୱାର ନିକଟରେ ଏକ ଦିବ୍ୟ ବାତାବରଣ ମଧ୍ୟରେ ପାଳନ କରାଯାଇଥିଲା | ଉପସ୍ଥିତ ଜନତାଙ୍କ ମତ ଥିଲା, ଯୁବ ବର୍ଗ ତଥା ରାଷ୍ଟ୍ରକୁ ସମୃଦ୍ଧି ମାର୍ଗରେ ଅଗ୍ରସର କରିବା ପାଇଁ ଶ୍ରୀମଦ ଭଗବତ ଗୀତା ଏକ ଅଦ୍ୱେତୀୟ ଗ୍ରନ୍ଥ | ଉକ୍ତ କାର୍ଯ୍ୟକ୍ରମରେ ଗୀତା ପାଠ ସହିତ ଏହାକୁ କିପରି ବ୍ୟାପକ ରୂପ ଦିଆଯାଇପାରିବ ଏହି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା | ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସମାଜ ସ୍ୱତଃପୃତଃ ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଏକ ସୁନ୍ଦର ରୂପରେଖ ଦେଇଥିଲେ | ସେମାନଙ୍କ କହିବା ମତେ ଗୀତା ମନୁଷ୍ୟକୁ ନିଜ ସହିତ ପରିଚିତ କରାଏ ଏବଂ ଏକ ଆଦର୍ଶ ଜୀବନ ବଞ୍ଚିବାର କଳା ଶିଖାଏ | ଶ୍ରୀକ୍ଷେତ୍ର ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସବୁ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଛି | ଏହି ସୁନ୍ଦର କାର୍ଯ୍ୟକ୍ରମରେ ଦେବଦତ୍ତ ବସନ୍ତରା , ଚିନ୍ମୟ ଦାଶ, ଦେବୀପ୍ରସାଦ ଦାସ, ରଞ୍ଜନ ସାମନ୍ତସିଂହାର, ହରିହର ମହାପାତ୍ର, ରାକେଶ ମିଶ୍ର, ରଞ୍ଜନ ଦାସ, ବିଶ୍ଵଶାନ୍ତି ତ୍ରିପାଠୀ, ଜଗନ୍ନାଥ ଷଡ଼ଙ୍ଗୀ, କ୍ରିଷ୍ଣ ଭାଇଙ୍କ ସହିତ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ପାଦକ ଅଜିତ ମିଶ୍ରଙ୍କ ଭଳି ବହୁ ସମାଜ ସୁଧାରକ ଯୋଗ ଦେଇଥିଲେ | ଶ୍ରୀ ଅଜିତ ମିଶ୍ରଙ୍କ କହିବା ମତେ ଏହିଭଳି ବିଶ୍ଵକଲ୍ୟାଣ କାର୍ଯ୍ୟରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦା ସର୍ବଦା ସହଯୋଗ କରିଆସିଛି ଏବଂ ଆଗକୁ ମଧ୍ୟ ପୂର୍ଣ୍ଣ ଯୋଜନା ସହକାର ଶ୍ରୀମଦ ଭଗବତ ଗୀତା ପାଠକୁ ଏକ ତ୍ୱରାନ୍ୱିତ ରୂପରେଖ ଦିଆଯିବ | ପୁରୀର ଜଣେ ଜଣାଶୁଣା ସମାଜସେବୀ ତଥା ଆଇନଜୀବୀ ଚିନ୍ମୟ ଦାଶଙ୍କ ମତାମତ ରହିଛି ଯେ ଏହା ଶ୍ରୀକ୍ଷେତ୍ର ପୁରୀ ଭଳି ଏକ ପବିତ୍ର ମାଟିର ଶଙ୍ଖନାଦ ଯାହା କ୍ରମେ କ୍ରମେ ସମ୍ପୂର୍ଣ୍ଣ ରାଜ୍ୟ ସହିତ ଦେଶ ବିଦେଶକୁ ମଧ୍ୟ ବ୍ୟାପିଯିବ । ସେ ପ୍ରତିଶୃତି ଦେଇଛନ୍ତି ଯେ ଆଗାମୀ ଦିନରେ କିଛି ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ଏହି ଗୀତା ପଠନ ଏବଂ ଶ୍ରବଣ କାର୍ଯ୍ୟକ୍ରମରେ ସାମିଲ କରାଯିବ | ଦେବୀ ପ୍ରସାଦ ଦାସ ନିଜ ବନ୍ଧୁ ସହଯୋଗୀମାନଙ୍କୁ ଏକତ୍ର କରି ନିଜ ନିଜର ସ୍ୱଳ୍ପ ଅର୍ଥରେ ଗୀତା ଜୟନ୍ତୀ ପାଳନର ଏକ ସଂକଳ୍ପ କରିଥିଲେ ଯାହା ପର୍ଯ୍ୟାୟ କ୍ରମେ ଏକ ଭବ୍ୟ ଆୟୋଜନର ରୂପ ନେଇଥିଲା |