ପୁରୀ, ପୁରୀ ବଳିଆପଣ୍ଡା ନିକଟ ଗୌରବିହାର ତଥା ମାତା ମଠ ଠାରେ ଆଜି ପୂର୍ବାହ୍ନ ୧୧ଟାରେ ମଠରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତିଙ୍କ ନିକଟରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ଵ ବ୍ୟଞ୍ଜନ ଲାଗି ହେବ । ବ୍ୟଞ୍ଜନ ଦ୍ଵାଦଶୀରେ ଯଶୋଦା ମା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦେଉଥିଲେ । ସେହି ପରମ୍ପରାକୁ ଉଜ୍ଜିବୀତ ରଖିବା ପାଇଁ ଆଜି ମଠରେ ଠାକୁରଙ୍କୁ ବ୍ୟଞ୍ଜନ ଲାଗିହେବ । ବ୍ୟଞ୍ଜନ ଦ୍ଵାଦଶୀରେ ଗତକାଲି ରାତିରେ ଏସବୁ ବ୍ୟଞ୍ଜନ ମଠରେ ପ୍ରସ୍ତୁତ ହୋଇଥିଲା । ମଠର ମୁଖ୍ୟ ସୁବଳ ମହାରାଜଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେଉଛି ।
ମଠର ବିବରଣୀରୁ ଜଣାଯାଏ, ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ, ୨୦୧୭ ରେ ୬୧୧, ୨୦୧୮ ରେ ୬୩୫, ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥିଲା । ୨୦୨୦ରେ ପ୍ରଶାସନର କରୋନା କଣାକଣା ଯୋଗୁଁ ମାତ୍ର ୧୫୧ ପ୍ରକାରର ଓ ୨୦୨୧ରେ ୭୦୧ ପ୍ରକାରର ବ୍ୟଞ୍ଜନ ଲାଗି ହୋଇଥିଲା । ଏହି ଅବସରରେ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗଦେଇଛନ୍ତି ।