ପୁରୀ,ପୁରୀ ବଳିଆପଣ୍ଡା ନିକଟ ଗୌରବିହାର ତଥା ମାତା ମଠ ଠାରେ ଆଜି ମଧ୍ୟାହ୍ନରେ ମଠରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତିଙ୍କ ନିକଟରେ ପ୍ରାୟ ୭୫୨ ପ୍ରକାରର ବ୍ୟଞ୍ଜନ ଲାଗି ହୋଇଛି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ବ୍ୟଞ୍ଜନ ଦ୍ଵାଦଶୀରେ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦେଉଥିଲେ । ସେହି ପରମ୍ପରାକୁ ଉଜ୍ଜିବୀତ ରଖିବା ପାଇଁ ଆଜି ମଠରେ ଠାକୁରଙ୍କୁ ବ୍ୟଞ୍ଜନ ଲାଗିହୋଇଛି । ବ୍ୟଞ୍ଜନ ଦ୍ଵାଦଶୀରେ ଗତକାଲି ରାତିରେ ଏସବୁ ବ୍ୟଞ୍ଜନ ମଠରେ ପ୍ରସ୍ତୁତ ହୋଇଥିଲା । ମଠର ମୁଖ୍ୟ ସୁବଳ ମହାରାଜଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି ।
ମଠର ବିବରଣୀରୁ ଜଣାଯାଏ, ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ, ୨୦୧୭ ରେ ୬୧୧, ୨୦୧୮ ରେ ୬୩୫, ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥିଲା । ୨୦୨୦ରେ ପ୍ରଶାସନର କରୋନା କଣାକଣା ଯୋଗୁଁ ମାତ୍ର ୧୫୧ ପ୍ରକାରର ଓ ୨୦୨୧ରେ ୭୦୧ ପ୍ରକାରର ବ୍ୟଞ୍ଜନ ଲାଗି ହୋଇଥିଲା । ଏହି ଅବସରରେ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗଦେଇଛନ୍ତି ।