-
ପଦ୍ମପୁର ଉପନିର୍ବାଚନ: ଭୋଟ୍ ଦେଲେ ବିଜେଡି ଓ ବିଜେପି ପ୍ରାର୍ଥୀ
ଭୁବନେଶ୍ୱର, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ଦିନ 1 ଟା ସୁଦ୍ଧା 46.96 ପ୍ରତିଶତ ମତଦାନ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ସକାଳ ସାଢ଼େ ୫ଟାରୁ ମକ୍ ପୋଲିଂ ଆରମ୍ଭ ହୋଇଥିଲା । ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ୍ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛିି।
ଅନ୍ୟ ପକ୍ଷରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସକାଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବର୍ଷା ସିଂ ବରିହା ଲାଇନରେ ଛିଡ଼ା ହୋଇଥିଲେ। ତାପରେ ସେ ୨୧୩ ନଂ ବୁଥରେ ଭୋଟ ଦେଇଥିଲେ। ଏହାପରେ ସେ କହିଛନ୍ତି, ପଦ୍ମପୁରର ବିକାଶ ପାଇଁ ସମସ୍ତେ ଭୋଟ ଦିଅନ୍ତୁ।
ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ଧର୍ମପତ୍ନୀ, ମା ଓ ଦୁଇ ପୁତୁରାଙ୍କ ସହ ଲମ୍ବା ଧାଡ଼ିରେ ଠିଆ ହୋଇଭୋଟ ଦେଇଥିବା ଦେଖିବାକୁ ମିଳିଛି । ସେ ୧୨୮ ନଂ ବୁଥରେ ଭୋଟ ଦେଇଥିଲେ। ପଦ୍ମପୁରବାସୀଙ୍କ ଭିତରେ ବି ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି। ଭୋଟ ଦେବା ପରେ ସେ ଖୁବ୍ ଉତ୍ସାହିତ ଥିବା କହିଛନ୍ତି।
ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ନିର୍ବାଚନମଣ୍ତଳୀରେ ସମୁଦାୟ ୩୧୯ଟି ବୁଥ୍ରୁ ୪୬ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି। ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍ ବୁଥ୍ ରହିଛି। ଏହି ବୁଥ୍ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ ୱେବ୍ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି। ମୋଟ ୩୧୯ଟି ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି। ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକ୍ରେ ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ଗ୍ରହଣ କେନ୍ଦ୍ର କରାଯାଇଛି।