
ଗଞ୍ଜାମ, ବୃକ୍ଷ ବିନା ଜୀବନ ଅସମ୍ଭବ। ପ୍ରକୃତି ଓ ପରିବେଶ ପାଇଁ ଗଛ ନିହାତି ଜରୁରୀ। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଉଥିବା ବେଳେ ନିଜସ୍ବ ଉଦ୍ୟମରେ ଗଛ ଲଗାଇ ଏବେ ଚର୍ଚ୍ଚାରେ ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଳକ ମର୍ଦମେଖ ପଞ୍ଚାୟତର ଲକ୍ଷ୍ମଣ ଗୌଡ଼। ସମାଜସେବୀ ଭାବେ ପରିଚିତ ଲକ୍ଷ୍ମଣ ପ୍ରଶାସନର ଅନୁମତି କ୍ରମେ ୫ ହଜାର ବୃକ୍ଷ ରାସ୍ତା କଡ଼ରେ ରୋପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଦଳା ଠାରୁ ମର୍ଦମେଖ ରାସ୍ତାରେ ଦୀର୍ଘ ୮ କିଲୋମିଟର ପର୍ଯ୍ଯନ୍ତ ନିଜ ଖର୍ଚ୍ଚରେ ବୃକ୍ଷ ରୋପଣ କରିବା ସହ ବୃକ୍ଷ ପାଇଁ ସୁରକ୍ଷା ବାଡ ଏପରିକି ଗଛଟି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଲକ୍ଷ୍ମଣ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବନବିଭାଗ ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ଉକ୍ତ ରାସ୍ତାରେ ଚଳିତ ବର୍ଷ ବୃକ୍ଷରୋପଣ ପାଇଁ କୌଣସି ସରକାରୀ ଯୋଜନା ନଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ଲକ୍ଷ୍ମଣ ନିଷ୍ପତ୍ତି ନେଇଥିଲେ, ନିଜସ୍ବ ଖର୍ଚ୍ଚରେ ଗଛ ଲଗାଇବେ। ଆଉ ଏଇଥିପାଇଁ ବନବିଭାଗ ସହ କଥାବାର୍ତ୍ତା କରିବା ପରେ ତାଙ୍କୁ ଚାରା ଯୋଗାଇ ଦିଆଯାଇଥିଲା। ଏହାପରେ ଆଜିଠାରୁ ବୃକ୍ଷ ରୋପଣ କାର୍ଯ୍ଯ ଆରମ୍ଭ କରିଛନ୍ତି ଲକ୍ଷ୍ମଣ। ଆଜି ୭୦୦ ଚାରା ରୋପଣ କରିଥିବା ବେଳେ ୫ ହଜାର ଚାରା ରୋପଣ ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।