-
ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ ସହିତ ଆଇସିଏମଆରରେ ସମୀକ୍ଷା ବୈଠକରେ ଯୋଗ ଦେବେ
ନୂଆଦିଲ୍ଲୀ,କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର ଆଜି ଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ପହଞ୍ଚିଛନ୍ତି । ଶନିବାର ସେ ଭୁବନେଶ୍ବର ସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)-ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (ଆରଏମଆରସି) ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ । ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କରି ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ଶନିବାର ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହି ଦିନ ସେ ଭୁବନେଶ୍ବର ଠାରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଜନ ପ୍ରତିନିଧିମାନଙ୍କ ସହିତ ମତ ବିନିମୟ କରିବେ।