ଗଞ୍ଜାମ,ଛତ୍ରପୁର ଉପଖଣ୍ଡସ୍ତରିୟ ଯୋଗାଣ ବିଭାଗ ପକ୍ଷରୁ ପୁରୁଷୋତମପୁର ବ୍ଲକ ଓ ଏନଏସିରେ ଆଜି ଚଢ଼ଉ କରାଯାଇ ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବେଆଇନ ଭାବେ ବ୍ୟବହାର ହେଉଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ୪ଟି ସ୍ଥାନରେ ଚଢ଼ଉ କରାଯାଇ ମୋଟ୍ ୬୦ରୁ ଅଧିକ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ।
ଚଢ଼ଉ ବେଳେ ତାରାତାରିଣୀ ଛକ ସ୍ଥିତ ରାମଲକ୍ଷ୍ମଣ ହୋଟେଲରୁ ୧୦ଟି, ଷୋଳଘର ସ୍ଥିତ କୈଳାସ ଚନ୍ଦ୍ର ସାହୁଙ୍କ ଚାଓମିନି ପ୍ରସ୍ତୁତ ଦୋକାନରୁ ୧୫ଟି, ସୁନାଥରରୁ ମହିଳା ପ୍ରମିତା ପ୍ରଧାନଙ୍କ ଠାରୁ ୨୫ଟି ଓ ସହରର ଅମୃତ ଭୋଜନାଳୟର ମାଲିକ ଗୋକୁଳ ପଣ୍ଡାଙ୍କ ଠାରୁ ୧୦ଟି ସିଲିଣ୍ଡର ଜବତ ହୋଇଛି । ସ୍ଥାନୀୟ ଯୋଗାଣ ନିରୀକ୍ଷକ ନିଳିମା ପ୍ରିୟଦର୍ଶିନୀ ଏହି ସୂଚନା ଦେଇଛନ୍ତି । ଛତ୍ରପୁର ଅତିରିକ୍ତ ଯୋଗାଣ ଅଧିକାରୀ ପିତାମ୍ବର ସେଠୀଙ୍କ ନେତୃତ୍ଵରେ କବିସୂର୍ଯ୍ୟନଗର ଯୋଗାଣ ନିରୀକ୍ଷକ ନିଖିଳ ମୋହନ ବସ୍ତିଆ, ପୋଲସରା ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ଦାସ ଓ ସ୍ଥାନୀୟ ଯୋଗାଣ ନିରିକ୍ଷକ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ ।