ଭୁବନେଶ୍ୱର, ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ମାଟିର ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ଏହି ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ଭାରତୀୟ ଜନତା ପାର୍ଟି ହତାଶ ହୋଇ ପଡ଼ିଛି । ତେଣୁ ବିଜେପିର କିଛି ବଡ଼ ବଡ଼ ନେତା ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି, ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ କେବଳ ବର୍ଷାଙ୍କୁ ଅପମାନିତ କରିବା ନୁହେଁ, ସମଗ୍ର ଓଡ଼ିଶାର ନାରୀ ଜାତିର ସମ୍ମାନକୁ ଭୂଲୁଣ୍ଠିତ କରିବା । ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ଭାବୁଥିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନିଚା ଦେଖାଇବା । ବିଜେପିର ଏହି ହୀନ ରାଜନୀତିକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଏଲିନା ଦାସ ଏବଂ ଇପସିତା ସାହୁ ପ୍ରମୁଖ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।
ଏବେ ପଦ୍ମପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଛି । ନିର୍ବାଚନ ଏମିତି ଆସୁଥିବ, ଯାଉଥିବ । ରାଜନୀତିରେ ନୀତି ଓ ଆଦର୍ଶକୁ ନେଇ ସମାଲୋଚନା ହେବା କଥା । ଗଠନମୂଳକ ସମାଲୋଚନା ହିଁ ଆମ ଗଣତନ୍ତ୍ରକୁ ଆଜି ପର୍ଯ୍ୟନ୍ତ ସୁଦୃଢ଼ କରି ରଖିଛି । ଆଶା କରାଯାଉଥିଲା ଯେ ପଦ୍ମପୁରରେ ବିଜେପି ନେତାମାନେ ରାଜନୈତିକ ମର୍ଯ୍ୟାଦାର ସୀମା ଭିତରେ ରହି ନିର୍ବାଚନ ପ୍ରଚାର କରିବେ । ମାତ୍ର ସେମାନେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ଅଶାଳୀନ ଆକ୍ଷେପ କରୁଛନ୍ତି । ଏହି ଅସୁସ୍ଥ ପ୍ରତିଯୋଗିତାରେ ସାଂସଦ ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ଖୋଦ୍ ପଦମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇଛନ୍ତି ।
ପଦ୍ମପୁରରେ ପରାଜୟ ଭୟରେ ହତାଶ ହୋଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଯିଏ ନାରୀଙ୍କୁ ସମ୍ମାନ ଦେବା ଜାଣି ନାହିଁ, ମାତୃଜାତି ଏବଂ ଓଡ଼ିଶାର ସଂସ୍କୃତିକୁ ଅପମାନ କରୁଛି, ସେଭଳି ନେତାଙ୍କୁ ସ୍ୱାଭିମାନୀ ପଦ୍ମପୁରବାସୀ କେବେବି ନିଜର ପ୍ରତିନିଧି ରୂପେ ବାଛିବେ ନାହିଁ । ରାଜନୀତିରେ ହାରଜିତ ଅଛି । ପଦ୍ମପୁର ନିର୍ବାଚନ ପାଇଁ ଏଯାଏ ଭୋଟ ପଡ଼ି ନଥିଲେ ମଧ୍ୟ ବିଜେପି ଏହା ହାରି ସାରିଛି । ତେଣୁ ତାଙ୍କ ଦଳର ନେତାମାନେ ହତାଶ ଓ ବିଚଳିତ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ତେବେ ଏକ ସୁସ୍ଥ ଗଣତନ୍ତ୍ରରେ ଏଭଳି ନକାରାତ୍ମକ ରାଜନୀତିର ସ୍ଥାନ ନାହିଁ । ବର୍ଷାଙ୍କ ପ୍ରତି ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ ପ୍ରମୁଖ ବିଜେପିର ନେତାମାନେ ଯେଭଳି କୁତ୍ସିତ ମନ୍ତବ୍ୟ ଦେଇଛନ୍ତି; ତାହା ଓଡ଼ିଶାବାସୀ କେବେବି ବରଦାସ୍ତ କରିବେ ନାହିଁ । ଏଥିପାଇଁ ପଦ୍ମପୁରବାସୀ ମଧ୍ୟ ସେମାନଙ୍କୁ କ୍ଷମା ଦେବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ।