-
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ନୂତନ ଜିଲ୍ଲାର ବିଜ୍ଞପ୍ତି ଦେଖାଇବେ କି ? ଧର୍ମେନ୍ଦ୍ର ପ୍ରଧାନ
-
ପଦ୍ମପୁରବାସୀ ରାଜ୍ୟ ସରକାରଙ୍କ ୨୨ ବର୍ଷର ପ୍ରତାରଣାର ନିର୍ଣ୍ଣାୟକ ମତ ଦେବେ
-
ସ୍କୁଲ ପିଲା ମାନଙ୍କର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି
-
ଓଡ଼ିଶାକୁ ଅନ୍ଧକାରରେ ରଖିବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର
-
ଧାନ, ଜଳସେଚନ, ଚାକିରି, ଇନପୁଟ ସବସିଡି ନମିଳିବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ପାଳନ ହୋଇନାହିଁ
-
ଝାରବନ୍ଧରେ ବିଶାଳ ମାତୃ ସମାବେଶ ପଦ୍ମପୁର ଉପନିର୍ବାଚନରେ କୁନା ପୁରୋହିତଙ୍କ ବିଜୟର ବଡ ପ୍ରମାଣ ଦେଉଛି
-
ବିଜେପି ପ୍ରାର୍ଥୀ କୁନା ପୁରୋହିତଙ୍କୁ ଭୋଟ ଦେବା ପାଇଁ ପଦ୍ମପୁର ମନବଳାଇ ସାରିଛି
ନିଜ ପ୍ରଚାର କାର୍ଯ୍ୟକ୍ରମର ତୃତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ, ବରିହାପାଲି, ଜାମଲା, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯୋଗଦେବା ସହ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି । ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ପାଇଁ ଆସୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଆମ ଦଳ ବିଜେପିର ଅପେକ୍ଷା ରହିବ, ସେ ବିଜେଡ଼ି ଦଳର ସଭାପତି ଭାବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶ୍ରୁତି ନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ରାତିରେ ଏଥିପାଇଁ କ୍ୟାବିନେଟ୍ ବସାନ୍ତୁ । କ୍ୟାବିନେଟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ମଞ୍ଜୁର ପ୍ରଦାନ କରନ୍ତୁ । ଏହାସହ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ଆସିବାବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ କରିବାର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ ଏବଂ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବା ନେଇ ଆମ ଦଳର ଅପେକ୍ଷା ରହିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ସେ ଏଭଳି ପଦକ୍ଷେପ ନେଇପାରିବେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍କୁଲ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି । ସ୍ଥାୟୀ ନିଯୁକ୍ତି ନାହିଁ । ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି । ନବୀନ ସରକାରଙ୍କ ନୀତି ଓ ନିୟମକୁ ନେଇ ଅସନ୍ତୋଷ ଦେଖାଗଲାଣି । ସ୍କୁଲରେ ପଢୁଥିବା ପିଲା ମାନଙ୍କର ଭବିଷ୍ୟତକୁ ହତାଦର କରାଯାଉଛି । ଓଡ଼ିଶାକୁ ଅନ୍ଧକାରରେ ରଖିବାରେ ଷଡଯନ୍ତ୍ର ରଚାଯାଉଛି । ତା’ର ପ୍ରତିଫଳନ ପଦ୍ମପୁର ଉପନିର୍ବାଚନରେ ହେବ ।
ଧାନ, ଜଳସେଚନ, ରୋଜଗାର, ଇନପୁଟ ସବସିଡି ନମିଳିବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନଦେବାର ଲମ୍ବା ତାଲିକା ଅଛି । ଏହି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଦୀର୍ଘ ୨୨ ବର୍ଷ ଶାସନରେ ଯେଉଁମାନେ କାମ ଖଣ୍ଡେ ଯୋଗାଡ କରିପାରିଲେ ନାହିଁ, ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ପାଣି ମୁନ୍ଦେ ପହଞ୍ଚାଇପାରିଲେ ନାହିଁ, ସେମାନେ ଆଜି ମିଛ ସୁଆଙ୍ଗ ରଚୁଛନ୍ତି । ସବୁଠି ଅବ୍ୟବସ୍ଥା ଦେଖାଯାଇଛି । ୨୨ ବର୍ଷରେ ଯେଉଁମାନେ ଏହି ଅଞ୍ଚଳକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପଦ୍ମପୁରବାସୀ ଜବାବ୍ ଦେବେ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ପଦ୍ମପୁରବାସୀ ୨୨ ବର୍ଷର ପ୍ରତାରଣାର ନିର୍ଣ୍ଣାୟକ ମତ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଝାରବନ୍ଧ ଅନୁଷ୍ଠିତ ବିଶାଳ ମାତୃ ସମାବେଶ ପଦ୍ମପୁର ଉପନିର୍ବାଚନରେ କୁନା ପୁରୋହିତଙ୍କ ବିଜୟର ବଡ ପ୍ରମାଣ ଦେଉଛି । ଓଡ଼ିଶା ବିଧାନସଭାରେ ଗରିବ, ଜନଜାତି, କେନ୍ଦୁପତ୍ର ତୋଳାଳୀ, ଚାଷୀ, ବଂଚିତ ଲୋକମାନଙ୍କ ସ୍ୱାର୍ଥକୁ ଉଠାଇଛନ୍ତି । ଚାଷୀ, ଆଦିବାସୀ, ମହିଳା, ଯୁବକ ଓ ସବୁ ବର୍ଗର ଲୋକମାନେ ତାଙ୍କ ଉପରେ ଭରସା ରଖିଛନ୍ତି । ପଦ୍ମପୁରର ମା’ ମାଉସୀ ତଥା ମାତୃଶକ୍ତି ମାନଙ୍କର ଆଶୀର୍ବାଦ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦଳର ପ୍ରାର୍ଥୀ କୁନା ପୁରୋହିତଙ୍କ ପ୍ରତି ରହିଛି । ତାଙ୍କୁ ଭୋଟ ଦେବା ପାଇଁ ପଦ୍ମପୁର ମନବଳାଇ ସାରିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।