ଭୁବନେଶ୍ୱର, ରାଜ୍ୟର ମହିଳା ଏସଏଚଜିମାନଙ୍କୁ ୦% ସୁଧ ହାରରେ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରୁଥିବାବେଳେ କେନ୍ଦ୍ର ସରକାର ଏତିକି ପରିମାଣର ଋଣ ପାଇଁ ୧୦% ସୁଧ ଆଦାୟ କରୁଛନ୍ତି । ରାଜ୍ୟର ମହିଳା ଏସଏଚଜିଙ୍କୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଶୂନ ସୁଧ ହାରରେ ଋଣ ଯୋଗାଇବା ପରିବର୍ତେ ସେମାନଙ୍କ ସହିତ ପ୍ରତାରଣା ଉଦ୍ୟମ କରୁଥିବା କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଗୁରୁବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନିର୍ବାଚନି ସଭାରେ କହିଥିଲେ ଯେ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମ୍ୟ ଜୀବନ ମିଶନ ଅଧିନରେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କରେ ସୁଧ ହାର ୧୧% ପ୍ରତିଶତ ରହିଛି ଏବଂ ସୁଧ ସହାୟତା ବାବଦରେ କେନ୍ଦ୍ର ସରକାର ୭% ପଇଠ କରୁଥିବାବେଳେ ରାଜ୍ୟ କେବଳ ମାତ୍ର ୪% ପଇଠ କରି ବାହାବା ନେଉଛି । କିନ୍ତୁ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମ୍ୟ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୨ ଜୁଲାଇ ୨୦ ତାରିଖରେ ମାଷ୍ଟର ସର୍କୁଲାର ଜାରି କରିଛନ୍ତି । ଆରବିଆଇର ଏହି ଦସ୍ତାବିଜର ଭାଗ-୨ର କ୍ରମିକ ନଂ-୨ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ମହିଳା ଏସଏଚଜି ପାଇଁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୭% ହେବ । ୩ ଲକ୍ଷରୁ ଅଧିକ ଏବଂ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୧୦% ହେବ ।
ପଦ୍ମପୁର ଏବଂ ବରଗଡର ମହିଳା ଏସଏଚଜି ଗୁଡିକ ଅନ୍ୟମାନଙ୍କ ତୁଳନାରେ ଅଧିକ ସୁଧ ଦେଉଥିଲେ କାରଣ କେନ୍ଦ୍ର ସେମାନଙ୍କୁ ବର୍ଗ -୧ ପରିବର୍ତେ ବର୍ଗ-୨ ଜିଲ୍ଲା ତାଲିକାରେ ରଖିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସୁଧର ସମ୍ପୂର୍ଣ୍ଣ ଭାର ଶୂନ କରିଦେଲେ । ଏଭଳି ଭାବେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ୪ ଲକ୍ଷ ମହିଳା ଏସଏଚଜି ଆକାଉଂଟକୁ ପ୍ରାୟ ୫୦୦ କୋଟି ପ୍ରଦାନ କରିଛନ୍ତି । ବରଗଡରେ ଗତ ତିନିବର୍ଷ ମଧ୍ୟରେ ଏସଏଚଜିଙ୍କ ଆକାଉଂଟକୁ ଓଡିଶା ସରକାର ୧୧.୧୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ପଦ୍ମପୁରକୁ ଓଡିଶା ସରକାର ସୁଧ ସହାୟତା ବାବଦରେ ୩.୦୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ୨୯ ନଭେମ୍ବରରେ ଏହା ଘୋଷଣା କରିଛନ୍ତି ଏବଂ ଏହା ୧ ଏପ୍ରିଲ ୨୦୨୨ ଠାରୁ କାର୍ଯ୍ୟକାରୀ ହେବ । ଓଡିଶାର ଯେକୌଣସି ଏସଏଚଜି ୫ ଲକ୍ଷ ପର୍ଯ୍ୟନ୍ତ ଶୂନ ସୁଧରେ ଋଣ ପାଇପାରିବେ । ଏହି ସୁଧ ସିଧାସଳଖ ଓଡ଼ିଶା ସରକାର ସେମାନଙ୍କ ଆକାଉଂଟରେ ପ୍ରଦାନ କରିବେ । ଆସନ୍ତା ୫ ବର୍ଷରେ ଏସଏଚଜିକୁ ୫୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ୧୨୦୦ କୋଟି ଟଙ୍କାର ସୁଧ ସହାୟତା ସୁବିଧା ଆକଳନ କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସସ୍ମିତ ପାତ୍ରଙ୍କ ସହ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ପ୍ରବକ୍ତା ସୁଶ୍ରୀ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ।