ସୁବର୍ଣ୍ଣପୁର, ଆଜି ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଜିଲ୍ଳା ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଳା ଆଇନ ସେବା ପ୍ରାଧିକରଣ ତରଫରୁ ମିଳିତ ଭାବରେ ଜିଲ୍ଳା ସଂସ୍କୃତି ଭବନ ଠାରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ କୁମୁଦିନୀ ମୁଦୁଲି, ସମ୍ପାଦକ, ଜିଲ୍ଳା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଏବଂ ସମ୍ମାନିତ ଅତିଥିଭାବେ ଡ଼ଃ. ଦୈତ୍ୟ ନାରାୟଣ ପାଢ଼ୀ, ଏଡିଏମଓ -ପରିବାର କଲ୍ୟାଣ, ଡ଼ଃ. ମନୋଜ ଅଦାବର, ଜନସ୍ଵାସ୍ଥ୍ୟ ଅଧିକାରୀ, ଡ଼ଃ ରମେଶ ଚନ୍ଦ୍ର ସ୍ଵାଇଁ, ଏ ଡି ପି ଏଚ ଓ (ରୋଗ ନିୟନ୍ତ୍ରଣ ), ବିଶ୍ଵମ୍ବର ବେହେରା, ଜିଲ୍ଳା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ମଂଚାସୀନ ଥିଲେ। “ରୋଗୀକୁ ନୁହେଁ ରୋଗକୁ ଘୃଣା କରିବା” ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ ପୂର୍ବକ ସଂକଳ୍ପ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି ଅତିଥି ବୃନ୍ଦ। ଆମେ ସମସ୍ତେ ନୈତିକତାର ସହ ସମଭାବପନ୍ନ ଚିନ୍ତା ପୋଷଣ ପୂର୍ବକ କାର୍ଯ୍ୟ କଲେ ଏହି ରୋଗକୁ ସମାଜରୁ ହ୍ରାସ କରିବା ସହ ଜଣେ ରୋଗୀ ସମାଜରେ ନିଃସଙ୍କୋଚରେ ବଂଚିବାକୁ ଆଗ୍ରହ ପ୍ରକାଶ କରିପାରିବ।
ସଭା ପ୍ରାରମ୍ଭରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ. ବିଶ୍ଵରଂଜନ ପତି ଉପସ୍ଥିତ ସମସ୍ତଙ୍କୁ ଏଡ଼ସ ବିରୁଦ୍ଧରେ ସାମୁହିକ ସଂଗ୍ରାମ କରିବାକୁ ଶପଥ ପାଠ କରାଇ ଥିଲେ। ଏଡ଼ସ ଦିବସ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସୋନପୁର ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସରକାରୀ ନର୍ସିଙ୍ଗ ସ୍କୁଲ, ବିଜୁପଟ୍ଟନାୟକ ନର୍ସିଙ୍ଗ ସ୍କୁଲ, ସୋନପୁର ନର୍ସିଙ୍ଗ ସ୍କୁଲ, ସୋନପୁର କଲେଜ ଅଫ ନର୍ସିଙ୍ଗକୁ ମଧ୍ୟ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କ୍ଷୀରୋଦ ବିହାରୀ ପଣ୍ଡା, ସି ସି ଟୀ ସଭା ସଂଯୋଜନା କରିଥିବା ବେଳେ ଗୀତାଞ୍ଜଳି ମେହେର, ସହ ପରିଚାଳିକା, ଅଣସଂକ୍ରମକ ରୋଗ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଅଂଶଗ୍ରହଣ କରିଥିବା ମହାବିଦ୍ୟାଳୟ ଓ ନର୍ସିଙ୍ଗ ସ୍କୁଲ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଚେତନତାମୂଳକ ବିଭିନ୍ନ ମନଛୁଆଁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଦିବସ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏଡ଼ସ ସଚେତନତା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରାକୁ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ପତି ଓ ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ମୁଦୁଲି ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ।
ଜିଲ୍ଲା ସମନ୍ୱିତ ପରାମର୍ଶଦାତା ତଥା ଜିଲ୍ଳା ପରିଦର୍ଶକ ସୁଦାମ ପଧାନଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ବିଭାଗର ପ୍ରଦ୍ୟୁମ୍ନ ସାହୁ, ପ୍ରମୋଦ କୁମାର ସାହୁ ତଥା ଡି ଏଲ ଏସ ଏ ର କର୍ମକର୍ତ୍ତା ଓ ସ୍ଵାସ୍ଥ୍ୟବିଭାଗର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।