ବଲାଙ୍ଗୀର, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିହର ହସ୍ପିଟାଲ ଠାରେ ବଲାଙ୍ଗୀର ଡିଷ୍ଟ୍ରିକ୍ଟ ପ୍ରାଇଭେଟ୍ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଏସୋସିଏସନ୍ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗଦେଇ ଜିଲ୍ଲାର ଘରୋଇ କ୍ଲିନିକ ଓ ନର୍ସିଂ ହୋମ୍ ଗୁଡିକ ସେବା ମନୋଭାବ ନେଇ ସଂଘବଦ୍ଧ ଭାବେ କାମ କରିବା ଉଚିତ ବୋଲି କହିଥିଲେ । ଜିଲ୍ଲାରେ ସ୍ଵାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଉନ୍ନତି ପାଇଁ ସେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏସୋସିଏସନ୍ ର ଉପସଭାପତି ଦୁର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଅତିଥି ଭାବରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଏସୋସିଏସନରର ଜୋନାଲ ସେକ୍ରେଟେରୀ ଡ.ରବିନ୍ଦ୍ର ପ୍ରଧାନ, ଏଡିଏମ୍ଓ ପିଏଚ୍ ଡ. ପ୍ରଭାତ କୁମାର ରଥ ଓ ଷ୍ଟେଟ୍ ପୋଲୁସନ୍ ବୋର୍ଡର ରିଜିଓନାଲ୍ ମେନେଜର ବବିତା ସିଂହ ମଂଚାସୀନ ରହି ନର୍ସିଂ ହୋମ୍ ଗୁଡିକ ଉନ୍ନତ ମାନର ସେବା ଯୋଗାଇ ଦେବା ସହ ସମାଜର ହିତ ପାଇଁ କାମ କରିବା ଉଚିତ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ଡିଷ୍ଟିକ୍ଟ ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଏସୋସିଏସନର ସଭାପତି ଡ. ନରେନ୍ଦ୍ର ସାହୁ, ସାଧାରଣ ସଂପାଦକ ରାଜକୁମାର ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ଶ୍ରୀମନ୍ତ ପଣ୍ଡା ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଏସୋସିଏସନ୍ ତରଫରୁ ଡାକ୍ତର ଶଙ୍କର ପ୍ରସାଦ ମେହେର, ସାମ୍ବାଦିକ ରଘୁ ନନ୍ଦନ ସିଂହ, ବିଶ୍ଵମୟ ପୂଜାରୀ ଓ ସୁଶାନ୍ତ ଠାକୁରଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ବୈଠକରେ ବଲାଙ୍ଗୀର ସମେତ କଂଟାବାଞ୍ଜି, ଟିଟିଲାଗଡ଼ ଓ ଲୋଇସିଂହା ଆଦି ଅଂଚଳରେ ଥିବା ଘରୋଇ କ୍ଲିନିକ ଗୁଡିକର ସତ୍ଵାଧିକାରୀ ମାନେ ଉପସ୍ଥିତ ଥିଲେ।