-
୧୯୮୫ରୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରୁ ମୁଁ ଲୋକଙ୍କ ସାଙ୍ଗେ ରହିଛି, ଆଗକୁ ରହିଥିବି : ପ୍ରଦୀପ ପୁରୋହିତ
ପଦମପୁର/ଭୁବନେଶ୍ୱର, ୧୯୮୫ ମସିହାରେ ଯେତେବେଳେ ତତ୍କାଳିନ କଂଗ୍ରେସ ସରକାର ଖଣି ଖୋଳିବା ପାଇଁ ଗନ୍ଧମାର୍ଦ୍ଦନ ପାହାଡକୁ ଘରୋଇ ବେପାରୀଙ୍କ ହାତରେ ବିକି ଦେଇଥିଲା ସେବେଠାରୁ ଗନ୍ଧମାର୍ଦ୍ଦନ, ବାବ ନୃସିଂହନାଥ ମନ୍ଦିର, ବାବା ହରିଶଙ୍କର ମନ୍ଦିରର ସୁରକ୍ଷା ପାଇଁ ମୁଁ ଏ ଅଂଚଳର ଲୋକମାନଙ୍କୁ ନେଇ ଆନ୍ଦୋଳନ କରିଥିଲି । ସାଇକେଲରେ ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ସ୍ୱର ଉଠାଇବା ପାଇଁ ଅନୁରୋଧ କରିଥିଲେ । ଆଜି ଯେଉଁ ଗନ୍ଧମାର୍ଦ୍ଦନ ପର୍ବତ, ନୃସିଂହନାଥ ମନ୍ଦିର ଅଛି ତାହା ଯଦି ସେତେବେଳେ ଆମେ ଆନ୍ଦୋଳନ କରିନଥାନ୍ତୁ ହୁଏତ ତାହା ଆଜି ନଥାନ୍ତା । ମୁଁ ସେହି ସମୟରୁ ଲୋକଙ୍କ ସାଙ୍ଗରେ, ଲୋକଙ୍କ ପାଇଁ ଅଛି, ଆଗକୁ ମଧ୍ୟ ସେମିତି ଲୋକଙ୍କ ସାଙ୍ଗରେ ରହିବି ବୋଲି ଆଜି ପାଇକମାଳର ମାଣ୍ଡୋସିଲ, ଭିଙ୍ଗରାଜପୁରରେ ଅନୁଷ୍ଠିତ ନିର୍ବାଚନ ସଭାରେ କହିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ।
ଶ୍ରୀ ପୁରୋହିତ କହିଛନ୍ତି ଯେ, ମୁଁ ଜିତିଲେ ବି ଲୋକମାନଙ୍କ ସାଙ୍ଗେ ରହିବି, ହାରିଲେ ବି ଲୋକମାନଙ୍କ ସାଙ୍ଗରେ ରହିବି । ଜିତିଲେ ପଦମପୁର, ପାଇକମାଳ, ଝାରବନ୍ଧର ଚାଷୀ ସସମ୍ୟା, କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା, ଧାନ ବିକ୍ରି ସମସ୍ୟା, ଦାଦନର ସମସ୍ୟାକୁ ବିଧାନସଭାରେ ଉଠାଇବେ । ମୋ ବିରୋଧରେ ଯିଏ ଠିଆ ହୋଇଛନ୍ତି ସିଏ ନିର୍ବାଚନ ପରେ ଆଉ ପଦମପୁରରେ ରହିବେନି । ବିଧାନସଭାରେ ସରକାରଙ୍କ ବିରୋଧରେ ପାଟି ଫିଟାଇ ପାରିବେନି ।
ଆଜି ପଦମପୁର ଉପନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ପ୍ରଚାରରେ ସାମିଲ ଥିଲେ । ପାଇକମାଳ ଓ ପଦମପୁର ଅଂଚଳରେ ରୋଡ ସୋ, ପଦଯାତ୍ରା, ଜନସଭା ଆଦି କରାଯାଇଥିଲା ।