-
ସରଳ ଓ ସ୍ଵଚ୍ଛ ପୋଷ୍ୟ ସନ୍ତାନ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସାରା ବିଶ୍ବରେ ନଭେମ୍ବର ମାସକୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଭାବେ ପାଳନ ଅବସରରେ ତା ୨୯.୧୧.୨୦୨୨ ରିଖ ଦିନ ପୁରୀ ଜିଲ୍ଲା ପ୍ରଶାସନ ର ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ-୨୦୨୨ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯନ୍ତ୍ର ) ଶ୍ରୀ ଶୁଭ ନାରାୟଣ ଶତପଥୀ ଅତିଥ୍ ମାନଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ପୁରୀ ଜିଲ୍ଲାରେ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ସୁଦୂରପ୍ରସାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ର ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ମହିଳା ଶିଶୁ ବିକାଶ ବିଭାଗର ବ୍ଲକ ତଥା ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ମାନଙ୍କ ସହିତ ଜିଲ୍ଲା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗୃହର କର୍ମକର୍ତ୍ତା, ଚାଇଲ୍ଡଲାଇନ, ସ୍ଵାଧାର ଗୃହ ର କର୍ମୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟଙ୍କ ସମେତ ମୋଟ ୬୫ଜଣ ଉକ୍ତ କର୍ମଶାଳାରେ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଏକ ଦିବସୀୟ କର୍ମଶାଳାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ ର ସରଳ ଏବଂ ସହଜ ପ୍ରକ୍ରିୟା ସମ୍ପର୍କରେ ତଥା ଏହାର ଆଇନଗତ ଦିଗ ବିଷୟରେ ଗୋଷ୍ଠୀ ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଦେବିପ୍ରସାଦ ମହାପାତ୍ର , ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଏବଂ ଶିଶୁ ମଙ୍ଗଳ କମିଟି ସଦସ୍ୟା ସୁଚେତା ଦାସ ଅତିଥୁ ରୂପେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସ୍ନେହ ବନ୍ଧନର ପ୍ରତୀକ ବୋଲି ପ୍ରକାଶ କରିବା ସହ ଏହି ପୋଷ୍ୟ ସନ୍ତାନ ପ୍ରକ୍ରିୟା ମାଧ୍ୟମରେ ଉଭୟ ଗ୍ରହିତା ପିତାମାତା ଓ ସମାଜରେ ପରିତ୍ୟକ୍ତ ଅବସ୍ଥାରୁ ଉଦ୍ଧାର ପାଇଥିବା ଶିଶୁଟି ସ୍ବତନ୍ତ୍ର ପରିଚୟ ଏବଂ ପରିବାର ପାଇପାରୁଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ବିଧିବ୍ୟବସ୍ଥା,ଏଥିପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ତରର ଅଧିକାରୀ ମାନଙ୍କର ଦାୟିତ୍ଵ ତଥା ଭୂମିକା ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କର ମହିଳା ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଉପଲବ୍ଧ ସରଳ , ସ୍ପଷ୍ଟ ଓ ସ୍ଵଚ୍ଛ ଅନଲାଇନ ପୋଷ୍ୟ ସନ୍ତାନ ଗ୍ରହଣ ପଦ୍ଧତି ମାଧ୍ୟମରେ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ରଖିବା ସହ କେଉଁମାନେ ପ୍ରତ୍ୟାଶୀ ପୋଷ୍ୟଗ୍ରାହୀ ହୋଇପାରିବେ, ଏବଂ ସେମାନଙ୍କର ବୟସସୀମା ତଥା ଦେଶ ମଧ୍ୟରେ ଏବଂ ଅନ୍ତର୍ଦେଶୀୟ ପୋଷ୍ୟ ସନ୍ତାନ ଗ୍ରହଣ ସୁବିଧା ବିଷୟରେ ଆଲୋଚନା କରି ଅଂଶଗ୍ରହଣକାରୀ ମାନଙ୍କୁ ଆଇନକୁ ଦୃଷ୍ଟିରେ ରଖ୍ କାର୍ଯ୍ୟ କରିବାକୁ ବୁଝାଇଥିଲେ । ଶେଷରେ ସୁରକ୍ଷା ଅଧିକାରୀ (ଅଣ ଆନୁଷ୍ଠାନିକ ଯନ୍ତ୍ର) ସ୍ନିଗ୍ଧାରାଣୀ ସାହୁ ଜିଲ୍ଲାରେ କାର୍ଯ୍ୟରତ ପୋଷ୍ୟ ସନ୍ତାନ ସଂସ୍ଥାର ଉତ୍ତମ ପ୍ରଦର୍ଶନ ଏବଂ ବିଗତ ବର୍ଷ ମାନଙ୍କରେ ଜିଲ୍ଲାରୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯାଇଥିବା ଶିଶୁ ଏବଂ ପ୍ରତ୍ୟାଶୀ ପୋଷ୍ୟଗ୍ରାହୀ ପିତାମାତାଙ୍କ ପରିସଙ୍ଖ୍ୟାନ ସମ୍ପର୍କରେ ତଥ୍ୟ ରଖିବାସହ ସରଳ ଏବଂ ସ୍ଵଚ୍ଛ ପୋଷ୍ୟ ଗ୍ରହଣ ବ୍ୟବସ୍ଥାକୁ ସାର୍ବଜନୀନ କରିବାପାଇଁ ସମସ୍ତ ବିଭାଗର କର୍ମକର୍ତ୍ତା ମାନେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ |