ସମ୍ବଲପୁର, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରି ଛକରେ ଓକିଲଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଆଜି ସେଠାରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଏହି ଆନ୍ଦୋଳନ ବେଳେ ପୁଲିସ – ଓକିଲ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିବା ବେଳେ ଓକିଲଙ୍କ ଟେଂଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତେଜନା ଲାଗି ରହିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅପରପକ୍ଷେ, କୋର୍ଟ କାର୍ଯ୍ୟରେ ଯୋଗଦେବା ନିମନ୍ତେ ଆସୁଥିବା ବିଚାରପତି ମଧ୍ୟ କାର୍ଯ୍ୟରେ ଯୋଗ ନ ଦେଇ ଫେରି ଯାଇଛନ୍ତି ।
ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ସପ୍ତାହର ପ୍ରତି ବୁଧବାର ସମ୍ବଲପୁର ବାର୍ କାଉନସିଲ ର ଓକିଲମାନେ କୋର୍ଟ କାର୍ଯ୍ୟ ବର୍ଜନ ସହ କୋର୍ଟ ସମ୍ମୁଖରେ ଆନ୍ଦୋଳନ କରିଥାନ୍ତି । ଏହି ଦିନ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସବୁ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିଥାଏ । ଦୀର୍ଘ ଦିନ ଧରି ଏପରି ଆନ୍ଦୋଳନ ଚାଲୁ ରହି କୋର୍ଟ କାର୍ଯ୍ୟ ବ୍ୟାହତ ହେବା ଯୋଗୁ କିଛି ଦିନ ପୂର୍ବେ ବାର୍ କାଉନସିଲ ଉପରେ ବର୍ଷିଥିଲେ ସୁର୍ପିମକୋର୍ଟ । ଆନ୍ଦୋଳନ ପ୍ରତ୍ୟାହାର ନ ହେଲେ ବାର୍ କାଉନସିଲ୍ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ବାତିଲ୍ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଥିବା ଦର୍ଶାଇ କୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଥିଲେ ।
ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ସତ୍ବେ ସମ୍ବଲପୁର ବାର୍ କାଉନସିଲ ପକ୍ଷରୁ ପୂର୍ବ ପରି ସବୁ ବୁଧବାର ଆନ୍ଦୋଳନ ଚାଲୁ ରହିଥିଲା । ଆଜି ସକାଳେ ଓକିଲଙ୍କ ସମେତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମଧ୍ୟ ଆନ୍ଦୋଳନରେ ବସିଥିଲେ । ଏହି ସମୟରେ ବିଚାରପତିମାନେ କଚେରି ଛକରେ ପହଂଚି ପୁଲିସ ସୁରକ୍ଷା ବଳୟରେ କୋର୍ଟକୁ ଯିବାକୁ ଚାହିଁଥିଲେ । ମାତ୍ର ଓକିଲମାନେ ସେମାନଙ୍କ ରାସ୍ତା ଅବରୋଧ କରିବାରୁ ପୁଲିସ୍ ସେମାନଙ୍କୁ ତାଗିଦ୍ କରିଥିଲା । ପୁଲିସ୍ ବିଚାରପତିଙ୍କୁ କୋର୍ଟ ଭିତରକୁ ନେବାକୁ ତତ୍ପର ହେବାରୁ ପୁଲିସ ଓ ଆନ୍ଦୋଳନରତ ଓକିଲ ମୁହାଁମୁହିଁ ହୋଇଥିଲେ ।