
-
ଡିସେମ୍ବର ୨ ରୁ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ପରିବେଶବିତ୍, ବୈଜ୍ଞାନିକ, ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି
ଭୁବନେଶ୍ୱର, ପ୍ରକୃତିରେ ସବୁକିଛି ପାଞ୍ଚଟି ଉପାଦାନ ବା ପଂଚମହାଭୂତ –ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ । ଏଥିମଧ୍ୟରୁ ଗୋଟିଏ ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ । ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରି । ଏହି ବାର୍ତ୍ତାର ପ୍ରଚାରପ୍ରସାର ନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ । ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଠାରେ ସମ୍ମିଳନୀ ଆୟୋଜିତ ହେବ ।‘ସୁମଙ୍ଗଳମ ପଞ୍ଚମହାଭୂତ ସମ୍ମିଳନୀ ଶୃଙ୍ଖଳା’ର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଭାବନା ଅନୁରୂପ ତଥା ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବା ଲାଗି ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ ବିଭିନ୍ନ ବାୟୁ ଗୁଣବତ୍ତା ପ୍ରସଙ୍ଗରେ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତ୍ତା ବଜାୟ ରଖିବା ଲାଗି ଦିଆଯାଇଥିବା ଜ୍ଞାନକୁ ବୁଝିବା ଲାଗି ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।
ଏହି ତିନି ଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବେ ।
ଏହି ସମ୍ମିଳନୀରେ ୫୦୦ରୁ ଅଧିକ ବିଶେଷଜ୍ଞ, ଛାତ୍ରଛାତ୍ରୀ, ଶିକ୍ଷାବିତ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରତିନିଧି, ପୌରପାଳିକା ଆୟୁକ୍ତ, ରାଜ୍ୟ ପରିବେଶ ସଚିବଗଣ, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଅଂଶଗ୍ରହଣ କରିବେ ।
ପୃଥିବୀର ଭବିଷ୍ୟତ ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ରହିଛି । ବାୟୁର ମାନ ଖରାପ ହେବା ଜନିତ ସମସ୍ୟାର ସମାଧାନ ଦିଗରେ ଯୁବପିଢ଼ିଙ୍କ ଅଭିନବ ଉପାୟକୁ ଗଠନମୂଳକ ଢଙ୍ଗରେ ବିନିଯୋଗ କରିବା ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ନେଇ ଡିସେମ୍ବର ୨ ତାରିଖରେ ଯୁବପିଢ଼ିଙ୍କୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ମାନବ ସ୍ୱାସ୍ଥ୍ୟ, ଐତିହ୍ୟ ଅଧ୍ୟୟନ, କୃଷି ପ୍ରସଙ୍ଗ, ପ୍ରଶମନ ପଦକ୍ଷେପ ଆଦି ଉପରେ ବିଚାରବିମର୍ଶ କରାଯିବ ।
ଏହି ଅବସରରେ ବାୟୁ ଗୁଣବତ୍ତା, ପ୍ରାକୃତିକ ବିକଳ୍ପ ଏବଂ ଓଡ଼ିଶାର ଐତିହ୍ୟ ଆଦି ବିଷୟକୁ ପ୍ରଦର୍ଶିତ କରୁଥିବା ଏକ ଜନସଚେତନତା ପ୍ରଦର୍ଶନୀ ଆୟୋଜନ କରାଯିବ ।
ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରୁଥିବା ସହରମାନଙ୍କୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ଦିଆଯିବ । ସ୍ୱଚ୍ଛ ବାୟୁ ସର୍ବେକ୍ଷଣର ଫଳାଫଳ ଆଧାରରେ ବାୟୁ ଗୁଣବତ୍ତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାରମୂଳକ, ନିରାକରଣଯୋଗ୍ୟ ଓ ପ୍ରଶମନ ପଦକ୍ଷେପ ଗ୍ରହଣ କରିଥିବା ୯ଟି ସହରକୁ ଏହି ପୁରସ୍କାର ଦିଆଯିବ । ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ ।
ବାୟୁ ସମ୍ମିଳନୀର ଉଦ୍ଦେଶ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଆମର ବାୟୁ ଗୁଣବତ୍ତା ଲକ୍ଷ୍ୟକୁ ହାସଲ କରିବା ଲାଗି ସରକାରଙ୍କ ଦ୍ୱାରା କରାଯାଇଥିବା ବହମୁଖି ପ୍ରୟାସ ନିର୍ମାଣ କରିବା ।
ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ହେଉଥିବା ସମାରୋହରେ ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିଶାଳ ଭାଗିଦାରୀ ଆଧାରିତ କାର୍ଯ୍ୟକ୍ରମ ହେବ ।