
କନ୍ଧମାଳ, ପ୍ରଚଣ୍ଡ ଶୀତରେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା। ପାଣି ପାଇଁ ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର – ଫୁଲବାଣୀ ଜାତୀୟ ରାଜପଥ ରୁଜାଙ୍ଗିଠାରେ ଗରା, ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ଯିବାକୁ ଥିବା ଗାଡି ମୋଟର ଆଦି ଅଟକି ରହିଛି ସକାଳୁ। ରୁଜାଙ୍ଗିରେ ୩ଟି ନଳକୂପ ଥିଲେ ବି ସବୁ ଗୁଡିକ ଅଚଳ ହୋଇପଡିଛି। ସେହିପରି ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଳ। ମରାମତି କରିବା ପାଇଁ ବାରମ୍ବାର ଜଣାଇଥିଲେ ବି ସୁଫଳ ମିଳିଲାନି ଫଳରେ ଗତ ଚାରି ମାସ ହେଲା ପାନୀୟ ଜଳ ସୁବିଧା ନପାଇ ହନ୍ତସନ୍ତ ହେଉଥିଲେ ରୁଜାଙ୍ଗି ଗ୍ରାମବାବାସୀ। ଫଳରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାକୁ ପଡିଲା ବୋଲି ଗ୍ରାମର ଶିବାଶିନୀ ବେହେରା, ସୁକୁମାରୀ ବେହେରା କହିଛନ୍ତି । ଖବର ପାଇ ପୋଲିସ, ତହସିଲଦାର, ବିଡ଼ିଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ, ସରପଞ୍ଚ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା ।
ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରେ ଗ୍ରାମବାସୀ ମାନେ ପୂର୍ବରୁ ଜଣାଇଥିଲେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରିଥାନ୍ତା । ବର୍ତମାନ ଅତି ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ବି.କେ. ଦାଶ କହିଛନ୍ତି । ତେବେ ରୁଜାଙ୍ଗି ଗ୍ରାମର ପାନୀୟ ଜଳ ସମସ୍ୟା କେବେ ଦୂର ହେଉଛି ଆଗକୁ ଜଣାପଡିବ ।