
- ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଶାସକ ଦଳ ପ୍ରଲୋଭନ ଦେଖାଇ ପ୍ରଭାବିତ କରିପାରିବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ
- ରାଜ୍ୟରେ କା’ ସରକାର ଚାଲିଛି ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ
- ବିଧାନସଭାରେ ରାଜ୍ୟର ମନ୍ତ୍ରୀମାନେ ଦେଇଥିବା ତଥ୍ୟ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି
- ମୁଖ୍ୟମନ୍ତ୍ରୀ ଦାୟିତ୍ୱ କଥା କହୁଛନ୍ତି,କିନ୍ତୁ ବିଧାନସଭାରେ ଦାୟିତ୍ୱ ପ୍ରଶ୍ନ ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଥିବା ଉତ୍ତର ଆସୁଛି
- ମୁଖ୍ୟମନ୍ତ୍ରୀ ଖୋଦ ଗୃହ ବିଭାଗର ମନ୍ତ୍ରୀ, ମାତ୍ର ଧର୍ଷଣ ନିୟନ୍ତ୍ରଣ ହେବା ପରିବର୍ତ୍ତେ ବଢିଥିବା ବିଧାନସଭାରେ ଉତ୍ତର ଆସୁଛି
- ଗତ ୫ ବର୍ଷରେ କେନ୍ଦ୍ରୀୟ ସହାୟତା ବିନିଯୋଗ ଉପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତ୍ତର ରାଜ୍ୟ ସରକାରଙ୍କ ଗୁମର ଫିଟାଇଛି
- ରାଜ୍ୟରେ ମୋଟ ଋଣ ଭାର ୯୭ ହଜାର ୨୦୫ କୋଟି ୩ ଲକ୍ଷ ଟଙ୍କା ରହିଛି ଓ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ପରିମାଣ ହୋଇଛି ୨୨ ହଜାର ୪୨ ଟଙ୍କା
- ରାଜ୍ୟ ସରକାର ମିଛ ପ୍ରହେଳିକା ରଚନା କରିବାର କୌଣସି ସୁଯୋଗ ନାହିଁ, ସରକାର ନିଜେ ଏ ସବୁ ତଥ୍ୟ ବିଧାନସଭା ଗୃହରେ ଦେଇଛନ୍ତି
- ମୋଦିଙ୍କ ସରକାର ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା କଲା ପରେ ବି ରାଜ୍ୟ ସରକାର ଓ ମିଲରଙ୍କ ମଧୂଚନ୍ଦ୍ରିକା କାରଣରୁ ୧୨୦୦ରୁ ୧୩୦୦ ଟଙ୍କାରେ ବିକ୍ରି ହେଉଛି
- ମୋଦି ସରକାର ଧାନ କିଣା ପାଇଁ ପଇସା ଦେବା ସତ୍ତ୍ୱେ ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗଙ୍ଗାଧର ମେହେର କେନାଲ ପ୍ରକଳ୍ପରେ ଏ ଯାଏଁ ମୁନ୍ଦେ ପାଣି ଜମିକୁ ମାଡିନାହିଁ
- କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଅଭିଭାଷଣ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି
ଶ୍ରୀ ପ୍ରଧାନ କହିଛନ୍ତି ଯେ ପଦ୍ମପୁର ହେଉଛି ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ମାଟି । ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କର୍ମଭୂମି । ଏହି ପବିତ୍ର ଭୂମିକୁ ଆସିବା ମୋ ପାଇଁ ସୌଭାଗ୍ୟ । ଆଜି ସେହି ବୀର ଓ ସ୍ୱାଭିମାନୀ ମାଟିକୁ ମୋର ପ୍ରଣାମ । ଆଜି ସେହି ମାଟିରେ କଳ ବଳ କୌଶଳ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଶାସକ ଦଳ ଚେଷ୍ଟା କରୁଛନ୍ତି । ମାତ୍ର ଯେତେ ଚେଷ୍ଟା କଲେ ବି ଶାସକ ଦଳ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଟଙ୍କା ଦେଇ କିଣିପାରିବେ ନାହିଁ । ପଦ୍ମପୁରରେ ନିଶ୍ଚୟ ପଦ୍ମଫୁଲ ଫୁଟିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁଠି କହୁଛନ୍ତି, ମୁଁ ଦାୟିତ୍ୱ ନେଉଛି, ସେ କେଉଁଠି ଦାୟିତ୍ୱ ନେଇଛନ୍ତି । ସ୍ଥିତି ଏପରି ହୋଇଛି, ବିଧାନସଭାରେ ଧାମନଗରର ନବନିଯୁକ୍ତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ନିର୍ବାଚନମଣ୍ଡଳୀର ବିକାଶ କଥା ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଥିବା କୁହାଯାଉଛି । ବିଧାନସଭାରେ ବିଧାୟକ ଶ୍ରୀ ନରସିଂହ ମିଶ୍ର ନାରୀ ନିର୍ଯ୍ୟାତନା ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଷ୍ଟ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରେ ଆସିଛି ରାଜ୍ୟରେ ଧର୍ଷଣ ମାମଲା ୨୦୧୯ରେ ୨୯୫୦ ଥିଲା । ୨୦୨୧ରେ ନିୟନ୍ତ୍ରଣ ହେବା ପରିବର୍ତ୍ତେ ୩୩୨୭ ଧର୍ଷଣ ମାମଲା ଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହମନ୍ତ୍ରୀ ଅଛନ୍ତି । ଏ କ’ଣ ନାରୀ ସଶକ୍ତିକରଣର ଉଦାହରଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ।
ସେହିପରି ବିଧାନସଭାରେ ଶାସକ ଦଳର ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଗତ ୫ ବର୍ଷରେ କେନ୍ଦ୍ରୀୟ ସହାୟତା ବିନିଯୋଗ ଉପରେ ପଚାରିଥିବା ପ୍ରଶ୍ନ ରାଜ୍ୟ ସରକାରଙ୍କ ଗୁମର ଫିଟାଇଛି । କେନ୍ଦ୍ର ଦେଉଥିବା ପଇସା ରାଜ୍ୟ ସରକାର ଖର୍ଚ୍ଚ ନକରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ଏହାବ୍ୟତିତ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଜଣାପଡିଛି ୨୦୨୧-୨୨ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୋଟ ଋଣ ଭାର ୯୭ ହଜାର ୨୦୫ କୋଟି ୩ ଲକ୍ଷ ଟଙ୍କା ଅଛି । ମୁଣ୍ଡ ପିଛା ଋଣ ଭାରର ପରିମାଣ ହେଉଛି ୨୨ ହଜାର ୪୨ ଟଙ୍କା । ରାଜ୍ୟ ସରକାର ମିଛ ପ୍ରହେଳିକା ରଚନା କରିବାର କୌଣସି ସୁଯୋଗ ନାହିଁ । ରାଜ୍ୟ ସରକାର ନିଜେ ଏ ସବୁ ତଥ୍ୟ ବିଧାନସଭା ଗୃହରେ ଦେଇଛନ୍ତି ।
ରାଜ୍ୟରେ କା’ ସରକାର ଚାଲିଛି ବୋଲି ପ୍ରଶ୍ନ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆବାସ ଯୋଜନାରେ ଘର ପାଇଁ ଟଙ୍କା ଦେଉଥିଲେ ମଧ୍ୟ ଘର ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ନଗଣ୍ୟ କରାଯାଇଛି । ମୋଦି ସରକାର ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ଟଙ୍କା, ପ୍ରତି ଘରକୁ ପାଇପରେ ପାଣି, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ମିଲରଙ୍କ ସହ ମଧୁଚନ୍ଦ୍ରିକା କରୁଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଧାର୍ଯ୍ୟ କରିଥିଲେ । ଚଳିତ ବର୍ଷ ଏହି ମୂଲ୍ୟ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତ୍ର ଏଠାରେ ରାଜ୍ୟ ସରକାର ଓ ମିଲରଙ୍କ ମଧୂଚନ୍ଦ୍ରିକା କାରଣରୁ ଧାନ କ୍ୱିଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ବିକ୍ରି ହେଉଛି । ସୋହେଲାରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କେନ୍ଦ୍ର ଅନୁଦାନ ବ୍ୟତିତ ଚାଷୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ବୋନସ ରାଜ୍ୟର ଜଣେ ବି ଚାଷୀଙ୍କୁ ମିଳିପାରିନାହିଁ । ମୋଦି ସରକାର ଧାନ କିଣା ପାଇଁ ପଇସା ଦେବା ସତ୍ତ୍ୱେ ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗଙ୍ଗାଧର ମେହେର କେନାଲ ପ୍ରକଳ୍ପରେ ଏ ଯାଏଁ ମୁନ୍ଦେ ପାଣି ଜମିକୁ ମାଡିନାହିଁ।
ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ଏବଂ ନୂଆପଡ଼ା-ବରଗଡ଼ ରେଳଲାଇନରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଅଭିଭାଷଣ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ମୋଦି ସରକାରଙ୍କ ଅନେକ ସହଯୋଗ ସତ୍ତ୍ୱେ ମଧ୍ୟ କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ ରାଜ୍ୟ ସରକାର ବୁଝୁନାହାନ୍ତି । ଭାତହାଣ୍ଡିରୁ ଗୋଟିଏ ଭାତ ଭଳି ମାଣ୍ଡୋସିଲ ଧାନମଣ୍ଡି, କିଛି ସୁବିଧା ନାହିଁ । ସୁନାର ଅଞ୍ଚଳ ବରଗଡ ଓ ମାଣ୍ଡୋସିଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ, ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ନହେବା ଦୁର୍ଭାଗ୍ୟଜନକ । ଲମ୍ବା ସମୟର ଶାସନରେ ରହିବା ପରେ ମଧ୍ୟ ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।
ରାଜ୍ୟରେ ରେଡ୍ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଟି ସଂସ୍ଥା ରେଡ୍ କରୁଛି । ଉଭୟ ସଂସ୍ଥାକୁ ନିଜ ନିଜର କାମ କରିବାକୁ ଦିଆଯାଉ । ଗରିବ ଲୋକଙ୍କ ଟଙ୍କା ହଡପ କରିବାର ଅଧିକାର କାହାର ନାହିଁ । କେଉଁଟା କେଉଁଟା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ତାହା ସମୟ କହିବ । ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ବିଜେଡି କଣ ଅହଙ୍କାର ଦେଖାଇବାକୁ ଚାହୁଁଛି । ମତ ପରିବର୍ତ୍ତନ ଭୟରେ ନୀରିହ ଲୋକଙ୍କ ଡରାଯାଉଛି, ଭୟ ଦେଖାଯାଉଛି । ଗରିବ ଜନଜାତିଙ୍କୁ ଡରାଇବା କାମରେ କାହିଁକି ପୋଲିସକୁ ଲଗାଯାଉଛି ? ଆଇନ ତା’ ବାଟରେ ଯାଉ । ଭୟ କଣ ପାଇଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।