

ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲା ଗ୍ରାମର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ଗତ ୨୨ ତାରିଖ ଦିନ ଯୁବତୀଙ୍କ ବାପା ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଲିସ ଅଭିଯୋଗ ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ତୁକଲା ଗ୍ରାମର ୨ ଶହରୁ ଅଧିକ ପୁରୁଷ/ମହିଳା ରବିବାର ଥାନାକୁ ଘେରାଉ କରିଥିଲେ । ସ୍ଥାନୀୟ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡିଆ ଠାରୁ ଏକ ର୍ୟାଲୀ ବାହାରି ଥାନାକୁ ଘେରାଉ କରିଥିଲେ । ଏହି ସମୟରେ ପୂର୍ବରୁ ଥାନାର ଗେଟକୁ ବନ୍ଦ କରି ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ଉତ୍ୟକ୍ତ ଲୋକେ ପୁଲିସ ସହ ଧସ୍ତାଧସ୍ତି ହୋଇ ଥାନା ଭିତରକୁ ପଶି ପୁଲିସ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀଙ୍କ ସହ ଖଡିଆଳ ଏସଡିପିଓ ବିରଂଚି ପ୍ରସାଦ ଦେହୁରୀ ଏବଂ ଖଡିଆଳ ତହସିଲଦାର ସିନ୍ଦୁସୂତା ପାତ୍ର ପହଂଚି ବୁଝାସୁଝା କରି ୨ ଦିନ ଭିତରେ ଅଭିଯୁକ୍ତ ଅପହରଣକାରୀ ମାନଙ୍କୁ ଗିରଫ କରାଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ତୁକଲା ଗ୍ରାମର ଜଣେ ଯୁବତୀ ଗତ ୯ ତାରିଖ ଦିନ ଭବାନୀପାଟଣା ସ୍ଥିତ ଆର.ଏନ. ଶିକ୍ଷାନୁଷ୍ଠାନ ମାଧ୍ୟମରେ ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ଦେବାକୁ ଯାଇଥିଲେ । ଯୁବତୀ ଜଣକ ପରୀକ୍ଷା ସାରି ୧୯ ତାରିଖ ଦିନ ସଂଧ୍ୟାରେ ଭବାନୀପାଟଣା ପହଂଚିଥିଲେ । ସେ ସଂଧ୍ୟା ହେବାରୁ ଭବାନୀପାଟଣାରେ ରହି ୨୦ ତାରିଖ ଦିନ ନିଜ ଗ୍ରାମ ତୁକଲାକୁ ଫେରୁଥିଲେ । ହେଲେ ଗ୍ରାମକୁ ଫେରୁଥିବା ବେଳେ ତୁକଲା ଗ୍ରାମର ଦୁଷ୍ମନ୍ତ ନିଆଲ ନାମକ ଯୁବକ ଯୁବତୀଙ୍କୁ ଅପହରଣ କରି କେଉଁ ଆଡେ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହି ଅପହରଣରେ ଅନ୍ୟ ୩ ଜଣ ଯୁବକ ସହଯୋଗ କରିଥିବା ଜଣାପଡିଛି । କିନ୍ତୁ ଯୁବତୀଙ୍କୁ ଅପହରଣ ନେଇ ଯୁବତୀଙ୍କ ବାପା ଖଡିଆଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ହେବାର ୩ ଦିନ ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ତୁକଲା ଗ୍ରାମର ୨ ଶହରୁ ଅଧିକ ମେହେର ପୁରୁଷ/ମହିଳା ମାନେ ଥାନାକୁ ଘେରାଉ କରିଥିଲେ । ଅନ୍ୟପକ୍ଷରେ ପୁଲିସ ଅପହରଣକାରୀଙ୍କ ସମ୍ପର୍କୀୟଙ୍କ ଚାପରେ ପଡି ଅପହରଣକାରୀଙ୍କୁ ଗିରଫ କରୁନଥିବା, ୨୨ ତାରିଖ ଦିନ ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲାକୁ ରେଜିଷ୍ଟର ନକରିବା ନେଇ ତୁକଲା ମେହେର ସମାଜ ଅଭିଯୋଗ କରି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନକଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।