ପୁରୀ, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ଅନ୍ୟତମ । ଯିଏ ପରମ ବ୍ରହ୍ମ ନିରାକାର ପରମାତ୍ମା ତାଙ୍କୁ ସାଧାରଣ ଜୀବ ମାନଙ୍କ ପରି ଶୀତ ଅନୁଭୂତ ହୁଏ । ମହାପ୍ରଭୁଙ୍କର ଏହି ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ କଥିତ । ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଂଚମୀ ବା ବସନ୍ତ ପଂଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ । ବସନ୍ତ ପଂଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକାଘୋଡ଼ ଲାଗି ହୋଇଥାଏ । ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଚାଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଂଚମୀ ଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାଘୋଡ଼ ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ସମସ୍ତ ସପ୍ତଧା ବିଗ୍ରହ ସହିତେ ଶ୍ରୀ କ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ । ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଏହା ହେଉଛି ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା । ମହାପ୍ରଭୁ ଏହି ଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି ।
ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ୱରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତମ ବସ୍ତ୍ରମାନଙ୍କ ଦ୍ୱାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି । ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଂଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଂଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ , ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ୱାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ୱାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମଇଲମ ବଢ଼ିବା ପରେ ପାଣି ପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି(ଚନ୍ଦନ) ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧିବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବା ଶୟନ ଠାକୁର ବିଜେ ହୁଅନ୍ତି ନାହିଁ । ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମଇଲମ ହୁଏ । ଗତ ଦିନ ଭୋଗମଣ୍ଡପ ଘରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଂଟ, ଛତା, କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ । ସଂହାସନରେ ସିଂହାରୀ ପୁଷ୍ପାଳକଙ୍କ ଦ୍ଵାରା ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିଲେ ଛଅମୂର୍ତି ଅଳଙ୍କାର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତା ବସ୍ତ୍ର), ଖଣ୍ଡୁଆ ପାଟ, ଭେଲଭେଟ୍ ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧି ଅନୁଯାୟୀ, ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି । ସୋମବାର କଳାଛିଟ ମିଶା ଧଳା ରଙ୍ଗ, ମଙ୍ଗଳବାର ବାରପାଟିଆ (ପଂଚରଙ୍ଗମିଶା), ବୁଧବାର ନୀଳରଙ୍ଗ, ଗୁରୁବାର ବସନ୍ତ (ହଳଦିଆ)ରଙ୍ଗ, ଶୁକ୍ରବାର ଧଳା ରଙ୍ଗ, ଶନିବାର କଳା ଓ ରବିବାର ଲାଲ ରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ ।
‘ନୀଳାଦ୍ରିମହୋଦୟ’ ରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ଓ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୁଏ ।