ଭୁବନେଶ୍ୱର,ଶିକ୍ଷକ ମାନଙ୍କର ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନଙ୍କ ହଟ୍ଟଗୋଳ ଓ ନାରାବାଜୀ କାରଣରୁ ଆଜି ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ ୧୧.୩୦ ଯାଏ ସ୍ଥଗିତ କରିଛନ୍ତି ।
ସୋମବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୧୦.୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକ ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିିଁଥିଲେ । ହେଲେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ବିଧାୟକ ମାନେ ସେମାନଙ୍କ ଆସନରୁ ଶିକ୍ଷକ ମାନଙ୍କ ପ୍ରସଙ୍ଗ ଉଠାଇଥିଲେ । ବାଚସ୍ପତି ସେମାନଙ୍କର କଥାକୁ ଭୃକ୍ଷେପ ନ କରି ନାମ ଡାକିବା ଆରମ୍ଭ କରି ଦେଇଥିଲେ । ଏହା ପରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଯେ ସେମାନେ ନିଜ ନିଜ ଆସନକୁ ଯାଆନ୍ତୁ । ଶୂନ୍ୟକାଳରେ ସେମାନେ ଏହି ପ୍ରସଙ୍ଗ ଉଠାଇ ପାରିବେ । ବର୍ତମାନ ଗୃହକାର୍ଯ୍ୟକୁ ବାଧିତ କରନ୍ତୁ ନାହିଁ । ହେଲେ ବାଚସ୍ପତିଙ୍କ ଏହି ଅନୁରୋଧର ତାଙ୍କ ଉପରେ କୌଣସି ପ୍ରଭାବ ପଡି ନ ଥିଲା । ସେମାନେ ହଟ୍ଟଗୋଳ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ ଜାରୀ ରଖିଥିଲେ । ତେଣୁ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।