-
ଶିକ୍ଷକ ମାନଙ୍କ ସହ କଥାବାର୍ତା କାହିଁକି କରୁ ନାହାନ୍ତି ରାଜ୍ୟ ସରକାର – ନରସିଂହ ମିଶ୍ର
-
ଶିକ୍ଷକ ଆନ୍ଦୋଳନ ବେଳେ ଗଣ ଶିକ୍ଷା ମନ୍ତ୍ରୀ ନିର୍ବାଚନ ପ୍ରଚାରରେ – ମୋହନ ମାଝୀ
-
ଶିକ୍ଷକ ମାନଙ୍କ ପ୍ରସଙ୍ଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ବାଚସ୍ପତି
ଭୁବନେଶ୍ୱର, ଶିକ୍ଷକ ମାନଙ୍କର ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚି ଥିବା ବେଳେ ଏହି ପ୍ରସଙ୍ଗେ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ତେବେ ସର୍ବଦଳୀୟ ବୈଠକ ପରେ ଯେତେବେଳେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା ସେତେବେଳେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ବିଧାୟକ ମାନେ ଏହି ମାମଲାରେ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରି ଗୃହର ମଧ୍ୟ ଭାଗକୁ ଆସିବା ପରେ ବାଚସ୍ପତି ଶିକ୍ଷକ ମାନଙ୍କ ପ୍ରସଙ୍ଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ।
୧୧.୪୫ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ହେଉଥିବା ଅଂଚଳରେ ସ୍ଥାନ ନାହିଁ । ପିଲା ମାନଙ୍କର ପାଠ ପଢା ବ୍ୟାଘାତ ହେଉଛି । ସେମାନେ ଶୀତ ରାତିରେ ରାସ୍ତାରେ ଶୋଉଛନ୍ତି । ତେବେ ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ଯେ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ସେମାନଙ୍କ ସହ ଯୋଗାଯୋଗ କରି ନାହାନ୍ତି । ରାଜ୍ୟର ଶିକ୍ଷା ମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କର କୌଣସି ପ୍ରତିନିଧିଙ୍କୁ ଅତି ଶୀଘ୍ର ଆନ୍ଦୋଳନରତ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବାକୁ ପଠାନ୍ତୁ । ଖୁବ ଶୀଘ୍ର ସେମାନଙ୍କର ଦାବିର ସମାଧାନ କରା ଯାଉ ।
ଏହା ବାଦ ସେ ଅନ୍ୟ ଆନ୍ଦୋଳନକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କ ଦାବି ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ବିରୋଧୀ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଲକ୍ଷେରୁ ଅଧିକ ଶିକ୍ଷକ ଭୁବନେଶ୍ୱରର ରାଜ ରାସ୍ତାରେ ଆସିଛନ୍ତି । କୌଣସି ବିଧାୟକଙ୍କ ଘରେ ବା ବାରଣ୍ଡାରେ ଜାଗା ନାହିାଁ ହେଲେ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରଦି ଆଦୌ ଧ୍ୟାନ ନାହିଁ । ଶିକ୍ଷକ ମାନଙ୍କ ଆନ୍ଦୋଳନ ସମୟରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ଏଥିରୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ କେତେ ଇଚ୍ଛା ରହିଛି ତ।।ହ ସ୍ପଷ୍ଟ ହେଉଛି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ସମାନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବାଚସ୍ପତିଙ୍କୁ ଏ ବାବଦରେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଦାବି କରିଥିଲେ ।