
କଟକ/କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣରେ ଗୁରୁତର ହୋଇ ଏସସିବିରେ ଚିକିତ୍ସାଧିନ ଥିବା ଆଉ ଜଣକର ଗତକାଲି ରାତିରେ ମୃତ୍ୟୁ ଘଟିଛି । ଫଳରେ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ମୃତ ଯୁବକଙ୍କ ନାମ ପିଂଟୁ ଖାନ ବୋଲି ଜଣାପଡିଛି ।
ପ୍ରକାଶ ଥାଉକି, ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅର୍ନ୍ତଗତ ବାଲିଆ ବଜାରରେ କାର୍ତିକେଶ୍ଵର ଭସାଣ ବେଳେ ବାଣଫୁଟି ଏହି ବିସ୍ଫୋରଣ ଘଟିଥିଲା । ବାଣ ବିସ୍ଫୋରଣରେ ୪୦ ଜଣ ଆହତ ହୋଇଥିଲେ । ତନ୍ମଧ୍ୟରୁ ଗୁରୁତର ୩୪ ଜଣଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଅଧିକ ଜଟିଳ ଥିଲା । ଅନ୍ୟ ଆହତ ୬ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୬ ତାରିଖରେ ଜଣକର ମୃତ୍ୟୁ ଘଟିଥିଲା । ସେହିପରି ଚିକିତ୍ସାଧନ ଅବସ୍ଥାରେ ଗତକାଲି ରାତିରେ ପିଂଟୁ ଖାନଙ୍କ ମୃତ୍ୟୁ ଘଟିଛି । ଯାହାଦ୍ଵାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଘଟଣାରେ ଦୁଇ ବାଣୁଆଙ୍କ ନାମରେ ମାମଲା ରୁଜ୍ଜୁ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ । କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୂଜା କମିଟିର ତିନି ସଦସ୍ୟଙ୍କୁ ଗିରଫ କରିଛି ।