ବୌଦ୍ଧ, ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଦୁଇଟି ବିସ୍ପୋରଣ ଘଟଣା ଘଟିଛି । ବନ ବିଭାଗର ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଯାଉଥିବା ସମୟରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରୁ କିଛି ବିଦ୍ୟୁତ ତାର ଜବତ କରାଯାଇଛି ।
ପ୍ରତିଦିନ ଶହ ଶହ ଏକର ଜଙ୍ଗଲ ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରୁଛି ବନ ବିଭାଗ ଓ ପୋଲିସ । ଏଭଳି ପଦକ୍ଷେପ ଏବେ ଗଞ୍ଜେଇ ମାଫିଆଙ୍କ ନିଦ ହଜେଇ ଦେଇଛି । କଣ୍ଟାମାଳ ଥାନା ଅନ୍ତର୍ଗତ ଲକଡ଼ପାଯୁ ଘାଟି ରାସ୍ତାରେ ଗାଡି ରଖି ଅତିକ୍ରମ କଲାବେଳେ ଏହି ବିସ୍ଫୋରଣ ଶୁଣିଥିଲେ ବନ କର୍ମଚାରୀ। ଏହି ଘଟଣାରେ ଭୟଭୀତ ହୋଇ ସେଠାରୁ ବନବିଭାଗ କର୍ମଚାରୀମାନେ ଫେରି ଆସିଥିଲେ । ଏହା ଛୋଟ ଧରଣର ବିସ୍ଫୋରଣ ବୋଲି କହିବା ସହ କେଉଁ ପ୍ରକାରର ବିସ୍ଫୋରଣ ତାହା କହି ହେଉନାହିଁ ବୋଲି ଡିଏଫଓ ଦେଵପ୍ରିୟ କମ୍ପ ସୂଚନା ଦେଇଛନ୍ତି। ସେହି ଅଂଚଳରୁ ୩ ଜଣଙ୍କୁ ସନ୍ଦେହ କରି ଅଟକ ରଖିଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଜାଣିବା ପରେ ଅଞ୍ଚଳରେ ଏବେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ଲକଡ଼ପାଯୁ ଠାରୁ କନ୍ଧମାଳ ସୀମା ୭ କି.ମି. ହୋଇଥିବାରୁ ଏହି ବିସ୍ଫୋରଣ କିଏ କଲା ଗଞ୍ଜେଇ ମାଫିଆ ନା ମାଓବାଦୀ ତାକୁ ନେଇ ଏବେ ଚର୍ଚା ଜୋର ଧରିଛି ।