-
ସୀମା ଟପିଲାଣି ଚୋରା ମଦ କାରବାର
ସାଲେପୁର,ସମଗ୍ର ନିଶ୍ଚିନ୍ତକୋଇଲି ଓ ସାଲେପୁର ବ୍ଲକ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ମାତ୍ର ସମସ୍ତେ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ମଦମୃତୁ ଆଶଙ୍କା ଉପୁଜିଛି । ଅବକାରୀ ବିଭାଗ ଧରପଗଡ ଧର୍ମକୁ ଆଖିଠାର ସଦୃଶ ହୋଇଥିବା ବେଳେ ପୋଲିସର ପଦକ୍ଷେପ ସଂପୂର୍ଣ୍ଣ ଶିଥିଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରୁ ବିପୁଳ ପରିମାଣର ସ୍ପିରିଟ୍ ଉଭୟ ବ୍ଲକ ଅଞ୍ଚଳକୁ ଆସୁଥିବାର ଜଣାଯାଇଛି । ଗତ ବର୍ଷ ଜଣେ ବିଷାକ୍ତ ମଦପିଇ ମୃତ୍ୟୁବରଣ କରିଥିବାର ନଜିର ଥିବା ବେଳେ ପ୍ରଶାସନ ସତର୍କତା ଅବଲମ୍ବନ ନକରିବା ପରିତାପର ବିଷୟ ହୋଇଛି । ତଥାକଥିତ କୁଜିନେତାମାନେ ମଦ ବ୍ୟବସାୟକୁ ସଂପୂର୍ଣ୍ଣ ନିୟନ୍ତ୍ର୍ରଣ କରୁଛନ୍ତି । ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖାଯାଇ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର ପଦସ୍ଥ ଅଧିକାରୀମାନେ ହାତମିଳାଇ ଏଭଳି କାର୍ଯ୍ୟ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗର ଅଧିକାରିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳି ପାରୁନାହିିଁ । ଉଭୟ ନିଶ୍ଚିନ୍ତକୋଇଲି ଓ ସାଲେପୁର ବ୍ଲକର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଚୋରା ମାଦକ ଦ୍ରବ୍ୟ ବେପାରୀଙ୍କ ସାମ୍ରାଜ୍ୟ ବଢି ଚାଲିଥିବା ଜଣାପଡିଛି । ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟିପାତ କରୁନାହିଁ । ଜିଲ୍ଲା ଅଫିସର ଚାପରେ ସମୟେ ସମୟେ ନିର୍ଦ୍ଦିଷ୍ଟ ସ୍ଥାନରୁ କିଛି ମଦ ବେପାରୀଙ୍କୁ ଗିରଫ କରି ବାହା ବାହା ନେବାରେ ପଛାଉ ନାହିଁ । ଚୋରା ସ୍ପିରିଟ, ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାର ବିଫଳ ହେଉଥିବାରୁ ଯେକୈାଣସି ମୁହୂର୍ତ୍ତରେ ମଦମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅବକାରୀ ବିଭାଗ କର୍ମଚାରୀଙ୍କ ଚୋରା ମଦ ବ୍ୟବସାୟୀଙ୍କ ସହ ଭିତିରି ସମ୍ପର୍କ ଯୋଗୁଁ ରାତ୍ରିରେ ବାର ଏବଂ ଲିକର ଦୋକାନରୁ ରାତିସାରା ଆଗ ତାଲା ପଛ ଖୋଲା ବେପାର ଚାଲିଛି । ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ କାର୍ଯ୍ୟାଳୟ ପାଖରୁ ଆରମ୍ଭ କରି ବହୁ ହୋଟେଲ ବାର୍ ରେ ମଧ୍ୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅସାମାଜିକ ଲୋକମାନେ ଖୁଲମ୍ ଖୁଲା ମଦ ପିଉଥିବାର ଜଣାଯାଇଛି । ଏପରିକି ଉକ୍ତ ଅଂଚଳମାନଙ୍କରେ ସନ୍ଧ୍ୟା ପରେ ମଦୁଆଙ୍କ ଦୈାରାମ୍ୟ ବଢିବା ଯୋଗୁ ସ୍ଥାନିୟ ଅଞ୍ଚଳର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ମଦ ପିଇ ରାସ୍ତାରେ ବୋତଲ ଭାଙ୍ଗିବା ଠାରୁ ଆରମ୍ଭ କରି ଜନଗହଳିପୂର୍ଣ ସ୍ଥାନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଦୈନଦିନର ଅଭ୍ୟାସ ହୋଇଗଲାଣି । ଉକ୍ତ ଘଟଣା ସଂପର୍କରେ ଅଭିଯୋଗ କରିବା ପାଇଁ ଲୋକେ ଭୟ କରୁଛନ୍ତି । ଏଥିଯୋଗୁ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ହରାଉଥିବା ବେଳେ ଏହି ସରକାରୀ କର୍ମଚାରୀ ମାନେ ହାତ ଚିକ୍କଣ ପାଇଁ ଚୋରା ମଦ ବେପାରୀଙ୍କ ସହ ଅସାଧୁ ମେଣ୍ଟ କରିଥିବା ସାଧାରଣରେ ଆଲୋଚନା ହେଉଛି ।