ସାଲେପୁର, କୃଷି ଓ କୃଷକର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଥିଲା ବେଳେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଲୋକାଭୀମୁଖୀ ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି । ହେଲେ ତାହାର କୈାଣସି ସୁଫଳ ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ ଦେଖିବାକୁ ମିଳୁନାହିଁ । ଏହି ଅଞ୍ଚଳର ପ୍ରାୟ ସମସ୍ତ ପଞ୍ଚାୟତର ଲୋକଙ୍କ ଜୀବିକା ନିର୍ବାହର ଏକମାତ୍ର ପନ୍ଥା କୃଷି । ଧାନ ଠାରୁ ଆରମ୍ଭ କରି ପନିପରିବା ସମେତ ବିରି, ମୁଗ, କୋଳଥ, ଚଣା ଆଦି ଡାଲି ଜାତୀୟ ଫସଲ ଏଠାକାର ଚାଷୀମାନେ କରିଥାନ୍ତି । ସେହିପରି ଏଠାକାର ଚାଷୀମାନେ ବିଶେଷ କରି ନଳିତା ଭଳି ଅର୍ଥକାରୀ ଫସଲ ଚାଷ କରୁଥିଲେ ହେଁ ସମ୍ପ୍ରତି ପ୍ରୋତ୍ସାହନ ଅଭାବରୁ ଏହି ଚାଷ ବୁଡିବାକୁ ବସିଲାଣି । ଏପରିକି ଗାଁ ଗହଳିରେ କାଉଁରିଆ ମିଳିବା ସାତ ସପନ ହୋଇଯାଇଛି । ଏପରିକି ଦୀପାବଳିରେ ବଡବଡିଆ ଡାକିବା ପାଇଁ କାଉଁରିଆର ଅଭାବ ଦେଖାଦେଇଥିଲା । ଚାଷୀ ବର୍ଷା ଦିନେ ନଳିତା ଚାଷ ଉପରେ ଗୁରୁତ୍ଵ ଦେଇଥାନ୍ତି । ଅର୍ଥକାରୀ ଫସଲ ନଳିତା ହୋଇଥିବା ବେଳେ ଚାଷୀ ଏଥିରେ ଭଲ ଦି ପଇସା ପାଇଥାଆନ୍ତି । ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକର ୪୧ ଟି ପଂଚାୟତର ଶହ ଶହ ଚାଷୀ ବିଗତ ଦିନରେ ଅର୍ଥକାରୀ ଫସଲ ନଳିତା ଉପରେ ଅଧିକ ଗୁରୁତ୍ଵାରୋପ କରୁଥିଲା ବେଳେ ଗତ କିଛି ବର୍ଷ ହେଲା ଏହି ଅଞ୍ଚଳର ଚାଷୀମାନେ ନଳିତା ଚାଷ ପ୍ରତି ବିମୁଖ ହେଉଥିବା ଜଣାଯାଇଛି । ଦିନକୁ ଦିନ ଶ୍ରମିକ ମଜୁରୀ ବୃଦ୍ଧି ପାଇବା ସହ ଶ୍ରମିକଙ୍କର ଘୋର ଅଭାବ ଦେଖାଦେଇଛି । ଗାଁରେ କାମ ମିଳୁନଥିବାରୁ ବହୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ରୂପେ କାର୍ଯ୍ୟ କରିବା ପାଇଁ ପଳାଇଯାଉଛନ୍ତି । ଫଳରେ ଗାଁ ଗହଳିରେ କୃଷି କ୍ଷେତ୍ରରେ କାମ କରିବା ପାଇଁ ଉପଯୁକ୍ତ ମାତ୍ରାରେ ଶ୍ରମିକ ମିଳୁନାହାଁନ୍ତି । ଏପରିକି ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସେବା ସମବାୟ ସମିତି, ଘରୋଇ ଋଣ ଲଗାଣକାରୀ ସଂସ୍ଥା ଏବଂ ଗାଁ ମହାଜନଙ୍କଠାରୁ ହାତ ଉଦ୍ଧାରୀ ଆଣି ନଳିତା ଚାଷ କରୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନଳିତା ଚାଷ ପାଇଁ କୌଣସ ପ୍ରୋତ୍ସାହନ ଯୋଗାଇ ଦିଆଯାଉନାହିଁ । ନକଲି ଘାସ ମାରା ଔଷଧ ପ୍ରୟୋଗ ଓ ସରକାରଙ୍କ ତରଫରୁ ନିମ୍ନମାନର ବିହନ ଯୋଗାଇ ଦିଆଯାଉଥିବା ଯୋଗୁ ଚାଷୀ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ମାତ୍ର ପ୍ରତିକୂଳ ବାତାବରଣ ସତ୍ବେ ଚାଷୀ ଯେଉଁ ନଳିତା ଝୋଟ କରିଥିଲା । ଅମଳ ପରେ ତାର ଉପଯୁକ୍ତ ମୂଲ୍ୟ ପାଉ ନାହିଁ । ବଜାରରେ ସାର, ଔଷଧ ଏପରିକି ବିହନ ମଧ୍ୟ ଚଢା ଦରରେ ବିକ୍ରୟ କରାଯାଉଛି । ସରକାରଙ୍କ ତରଫରୁ ଯେଉଁ ସାର, ବିହନ, ଔଷଧ ଯୋଗାଇ ଦିଆଯାଉଛି ତାହା ଚାଷୀଙ୍କ ନିକଟରେ ପହଞ୍ଚାଇବା ପୂର୍ବରୁ ବାଟରେ କଳାବଜାରରେ ବିକ୍ରୟ ହୋଇଯାଉଛି । ସରକାରୀ ଭାବେ ଝୋଟ କୁଇଣ୍ଟାଲ ମାତ୍ର ୧୫ ଶହରୁ ଉର୍ଦ୍ଧ ଟଙ୍କା ରଖାଯାଇଥିଲା ବେଳେ ଝୋଟ ବିକ୍ରୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ବେପାରୀକୁ କୁଣ୍ଟାଲ ପିଛା ୧୦୦୦ ରୁ ୧୨୦୦ ଟଙ୍କାରେ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି । କେନ୍ଦ୍ରାପଡା ଜିଲ୍ଳାର ଦାନପୁର ଝୋଟ ସମବାୟ ଓ କେନ୍ଦୁପାଟଣାରେ ଥିବା ଭାରତୀୟ ଝୋଟ ନିଗମ ଏକ ରକମ ଅଚଳ ହୋଇଯାଇଥିବାରୁ ଚାଷୀ ଠିକ୍ ଭାବେ ଝୋଟ ବିକ୍ରୟ କରିପାରୁନାହାଁନ୍ତି । ଫଳରେ ଏହି ଅଞ୍ଚଳରେ ଦିନକୁ ଦିନ ନଳିତା ଚାଷ ହ୍ରାସ ପାଉଥିବାରୁ ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ହୋଇଛି ।
ଏଠାରେ ସୂଚନାଯୋଗ୍ୟ, ନଳିତାରୁ ତିଆରି ଝୋଟରୁ ଦଉଡି, ଅଖା, ଶାଢୀ, ବ୍ୟାଗ ପ୍ରଭୃତି ବହୁ ମୂଲ୍ୟବାନ ଦ୍ରବ୍ୟ ତିଆରି ହେଉଥିଲା ବେଳେ କାଉଁରିଆକୁ ଲୋକମାନେ ଜାଳେଣୀ ରୂପେ ବ୍ୟବହାର କରୁଥିଲେ । ସରକାର ଚାଷୀମାନଙ୍କର ପ୍ରକୃତ ଅବସ୍ଥାକୁ ହୃଦୟଙ୍ଗମ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି ।