ମାଲକାନଗିରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଅଭିଯାନ ନେଇ ଆଜି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍କ୍ରିପ ରଥର ( ଭୋଟର ସଚେତନତା ରଥ ) ଉଦଘାଟନ ହୋଇଛି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା ପାଇଁ ନିଯୁକ୍ତି ସ୍ବତନ୍ତ୍ର ରୋଲ ପର୍ଯ୍ୟବେକ୍ଷକ ଶ୍ରୀମତୀ ସୁଜାତା ସାହୁ ଏହି ସଚେତନତା ରଥ ଉଦଘାଟନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାଏକ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁ ଉପସ୍ଥିତ ଥିଲେ ।
ଏହି ଭୋଟର ସଚେତନତା ରଥ ମୁଖ୍ୟତଃ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ଭୋଟର ତାଲିକାରେ ସଂଶୋଧନ ଇତ୍ୟାଦି ପାଇଁ ଏହା ସମସ୍ତଙ୍କୁ ସଚେତନ କରାଇବ । ଏହା ପରେ ଶ୍ରୀମତି ସାହୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ – ୨୦୨୩ ପରିପ୍ରେକ୍ଷୀରେ ଏକ ସମୀକ୍ଷା କରିଥିଲେ । ଏଠାରେ ଜିଲ୍ଲାର ସମସ୍ତ ଉପନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଶ୍ରୀମତୀ ସାହୁ ଭୋଟର ତାଲିକା ସଂଶୋଧନ ସଂର୍ପକରେ ଆଲୋଚନା କରିଥିଲେ । ଯେପରି ଅଧିକରୁ ଅଧିକ ଭୋଟର ଏବଂ ଯୁବ ଭୋଟରମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକରଣ କରିବେ ସେଥିନିମନ୍ତେ ଗୁରୁତ୍ବାରୋପ କରିଥିଲେ ।