ଭଦ୍ରକ – ଭଦ୍ରକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶିକ୍ଷକ ରତିକାନ୍ତ ବେହେରାଙ୍କ କବିତା ପୁସ୍ତକ ‘ଶବ୍ଦମାନେ ଶକୁନ୍ତଳା’ର ଶୁଭ ଉନ୍ମୋଚନ ହୋଇଯାଇଛି । ଉଦ୍ଘାଟକ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ ନାୟକ ଯୋଗଦାନ କରି ପୁସ୍ତକକୁ ଲୋକମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରି ରତିକାନ୍ତଙ୍କ କବିତାରେ ଗୋଟାଏ ସମ୍ଭାବନା ଦୃଶ୍ୟମାନ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସଂଗ୍ରାମ ସାହୁ ଯୋଗଦାନ କରି କବି ରତିକାନ୍ତଙ୍କ ପୁସ୍ତକର ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ. ବ୍ରଜମୋହନ ମିଶ୍ର ରତିକାନ୍ତଙ୍କ କବିତା ସ୍ୱଭାବ ଓ ସ୍ୱଧର୍ମରେ ଖୁବ୍ ସମର୍ଥ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ଡ. ଶଶଧର ଦାସ ରତିକାନ୍ତଙ୍କ କବିତା ଆଙ୍ଗିକତା ଓ ଆତ୍ମିକତାର ଏକ ସୁନ୍ଦର ସେତୁ ବୋଲି କହିଥିଲେ । ସମୀକ୍ଷକ ଭାବେ ଡ. ରାଧାରାଣୀ ମହାପାତ୍ର କବିତା ଗୁଡିକୁ ସମୀକ୍ଷା କରି ରତିକାନ୍ତଙ୍କ କବିତାମାନେ ଏକ ସ୍ୱତନ୍ତ୍ର ଶୈଳୀରେ ବିଚରଣ କରନ୍ତି ବୋଲି କହିଥିଲେ । ସମୀକ୍ଷକ ଡ. ଅଭୟ ଦାସ କବିତା ଗୁଡିକୁ ସମୀକ୍ଷା କରି ରତିକାନ୍ତଙ୍କ ଶବ୍ଦମାନେ କେବଳ ଶକୁନ୍ତଳା ନୁହେଁ ପରନ୍ତୁ ଭାବ ଓ ଭଙ୍ଗୀରେ ଖୁବ୍ ଆକର୍ଷଣୀୟ ବୋଲି କହିଥିଲେ । ସଭାପତି ଡ. ଗୋଲକ ବିହାରୀ ସାହୁ ସଭାଟିକୁ ପରିଚାଳନା କରି କବିତା ଚେତନାର ବାର୍ତାବହ ବୋଲି କହିଥିଲେ । ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷକ ଖଗେଶ୍ୱର ଯେନା ଧନ୍ୟବାଦ ଅର୍ପଣ କରିଥିଲେ । କବି ବିଜୟ ବହଳୀ ବେଦ ପାଠ କରିଥିଲେ ଓ ଶିକ୍ଷକ ଗୌତମ ମହାରଣା ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିଥିଲେ । ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ପାଣିଗ୍ରାହୀ, ଅପରାଜିତା ଦାସ, ବସୁମତି ଧଳ, ଶାନ୍ତିଲତା ତିଆଡି, ଉର୍ମିଳା ବିଶ୍ୱାଳ, ଉଷାରାଣୀ ସ୍ୱାଇଁ, ସନ୍ଧ୍ୟାରାଣୀ ବିଶ୍ୱାଳ, ଆର.ଏସ. ଅମୃତା ପ୍ରମୁଖ ସଭାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥିଲେ । ସାହିତ୍ୟିକ, ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ଲୋକାର୍ପଣ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।
Related Stories
January 8, 2025