-
୨୩ ବର୍ଷର ବିଜେଡି ସରକାର, ରାଜ୍ୟର କେତେ ହେକ୍ଟର ଜମି ଜଳସେଚନ କରିଛନ୍ତି : ସୁରେଶ ପୁଜାରୀ
-
କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନାର ମୋହର ମାରି ମିଛଠାରେ ବାଃ ବାଃ ମାରୁଥିବା ରାଜ୍ୟ ସରକାର ଏବଂ ଶାସକ ବିଜେଡି ଆଉ ମିଛ ନକହନ୍ତୁ
ପଦମପୁର / ଭୁବନେଶ୍ୱର,ପଦ୍ମପୁରବାସୀଙ୍କୁ ପ୍ରତାରଣା କରି ବାରମ୍ବାର ମିଛ କହୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପଡିଛି । ବରଗଡ-ପଦ୍ମପୁର-ନୂଆପଡା ରେଳ ପ୍ରକଳ୍ପ ପାଇଁ ସ୍ଥାନୀୟ ସାଂସଦ ଭାବେ ମୁଁ ଯେତେବେଳେ ପବିତ୍ର ସଂସଦରେ ଦାବୀ କରିଥିଲି, ସେତେବେଳେ ବିଜେଡି ସାଂସଦମାନେ ନୀରବ ରହିଥିଲେ । କେନ୍ଦ୍ରରୁ ମୋଦି ସରକାରଙ୍କ ଅନୁମୋଦନକ୍ରମେ ଯେତେବେଳେ ଏହି ପ୍ରକଳ୍ପକୁ ମଂଜୁରୀ ମିଳଲା, ସେତେବେଳେ ନିଜ ଆଡୁ ପ୍ରଥମେ ଜମି ଯୋଗାଇ ଦେବାର ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଗତ ୨୦୨୧ ମସିହା ଡିସେମ୍ବର ୩୧ ତାରିଖରୁ ପ୍ରକଳ୍ପକୁ ମଂଜରୀ ମିଳିଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ଜମି ଯୋଗାଇ ନାହାନ୍ତି ରାଜ୍ୟ ସରକାର । ନିଜ ଦାୟୀତ୍ୱକୁ ପାଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବଂ ଶାସକ ବିଜେଡି ବର୍ତମାନ ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ଅଂଚଳବାସୀଙ୍କୁ ଭ୍ରମିତ କରିବାକୁ ଯାଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସାଂସଦ ବାରମ୍ବାର ମିଛ କହୁଥିବାର କେନ୍ଦ୍ର ରେଳମନ୍ତ୍ରୀଙ୍କ ବକ୍ତବ୍ୟରୁ ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ସେହିପରି ଫସଲ ବୀମାରେ ରାଜ୍ୟ ସରକାରଙ୍କ ଚଂଚକତା ମଧ୍ୟ ପ୍ରମାଣିତ ହୋଇଛି । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନାର ମୋହର ମାରି ମିଛଠାରେ ବାଃ ବାଃ ମାରୁଥିବା ରାଜ୍ୟ ସରକାର ଏବଂ ଶାସକ ବିଜେଡି ଆଉ ମିଛ ନକହି ଗତ ୨୨ ବର୍ଷ ଶାସନରେ ରାଜ୍ୟର କେତେ ହେକ୍ଟର ଚାଷ ଜମି ଜଳସେଚନ କରିଛନ୍ତି, ତାର ଜବାବ୍ ରଖିବାକୁ ସ୍ଥାନୀୟ ତଥା ବରଗଡ ସାଂସଦ ଶ୍ରୀ ସୁରେଶ ପୁଜାରୀ ଦାବୀ କରିଛନ୍ତି ।