
ଭୁବନେଶ୍ୱର,କେନ୍ଦୁପତ୍ର ଉପରୁ ‘ଜିଏସ୍ଟି’ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ‘ମାଇନର ଫରେଷ୍ଟ୍ ପ୍ରଡକ୍ଟ୍’ (ଏମ୍ଏଫ୍ପି) (ଲଘୁ ବନଜାତ ସାମଗ୍ରୀ) କେନ୍ଦୁପତ୍ର ହେଉଛି ଓଡ଼ିଶାର ପ୍ରାୟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ସାମୟିକ ଶ୍ରମିକମାନଙ୍କର ଆର୍ôଥକ ମେରୁଦଣ୍ଡ । ବିଶେଷତଃ ଆଦିବାସୀ ତଥା ସମାଜର ଦରିଦ୍ରରୁ ଦରିଦ୍ରତମ ସମ୍ପ୍ରଦାୟ କେନ୍ଦୁପତ୍ର ତୋଳି ଚଳନ୍ତି । ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଆଇନ ୨୦୦୬ ଅନୁସାରେ ନିଜସ୍ୱ ଅଧିକାରର ଅଂଶଭାବେ ଆଦିବାସୀ ଜନତା କେନ୍ଦୁପତ୍ର ତୋଳନ୍ତି । ସେମାନଙ୍କର ଏହି ଉତ୍ପାଦ ଯୋଗାଡ଼ କରି ବିକ୍ରି କରିବା ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
୧୮% ‘ଜିଏସ୍ଟି’ ଲାଗୁ ହେବା ଯୋଗୁଁ କେନ୍ଦୁପତ୍ର ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୟିକ ଶ୍ରମିକମାନଙ୍କ ଜୀବିକାକୁ ପ୍ରଭାବିତ କରୁଛି । ତେଣୁ, କେନ୍ଦୁପତ୍ର ଉପରେ ନିର୍ଭରଶୀଳ ସମ୍ପ୍ରଦାୟଙ୍କ ଜୀବିକା ଓ ଓଡ଼ିଶା ରାଜ୍ୟର ବୃହତର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ କେନ୍ଦୁପତ୍ର ଉପରେ ଲାଗୁ ହୋଇଥିବା ‘ଜିଏସ୍ଟି’ ପ୍ରତ୍ୟାହାର କରିନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।