
କନ୍ଧମାଳ, ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସି ଶୋଷଣର ଶିକାର ହେଉଛନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦେଖି ଦୋକାନୀମାନେ ଚଢ଼ା ଦରରେ ମାଛ, ମାଂସ ବିକ୍ରି କରୁଛନ୍ତି। ଏହି ସୁଯୋଗରେ କନ୍ଧମାଳ ହଳଦୀ ନାମରେ ଅପମିଶ୍ରଣ ହଳଦୀ ମଧ୍ୟ ବିକ୍ରି ହେଉଛି। ସେହିପରି ପାରମ୍ପରିକ ସାମଗ୍ରୀ ନାମରେ ବାହାର ମାର୍କେଟରୁ ସାମଗ୍ରୀ ଆଣି କଫି ବଗିଚା ସମ୍ମୁଖରେ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏହାର ପ୍ରତ୍ୟକ୍ଷ ପ୍ରମାଣ ମିଳିଯାଇଛି। ଏକ ପର୍ଯ୍ୟଟକ ଟିମ୍ ଦାରିଙ୍ଗବାଡିକୁ ଭୋଜି କରିବାକୁ ଆସିଥିଲେ। ସେମାନେ ସ୍ଥାନୀୟ ମାର୍କେଟରୁ ସାଂସ କିଣି ରୋଷେଇ କରିଥିଲେ। ହେଲେ ପରେ ଏହା ନିମ୍ନମାନର ବୋଲି ଜଣାପଡ଼ିଥିଲା। ତେଣୁ ପର୍ଯ୍ୟଟକମାନେ ନଖାଇ ଏହାକୁ ଫୋପାଡି ଦେଇଥିଲେ। ପରେ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ଆଇଆଇସି କୌଶିକ ମାଝୀ ସଦଳବଳେ ଶନିବାର ମାର୍କେଟରେ ଚଢ଼ଉ କରି ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଥିବା ଜଣାପଡିଛି। ଏପରିକି କଫି ବଗିଚା ସମ୍ମୁଖରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଅନ୍ୟପକ୍ଷରେ ଟ୍ରାଫିକ ସମସ୍ୟାର ସମାଧାନ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏହା ସମେତ ମାଛ, ମାଂସ ସହ ସ୍ଥାନୀୟ ହଳଦୀ, ସୋରିଷ, ଗୋଲମରିଚ, କଫି, ମାଣ୍ଡିଆ ଆଦି ସାମଗ୍ରୀର ଦର ତାଲିକା ପ୍ରସ୍ତୁତ କରି ଦୋକାନ ସମ୍ମୁଖରେ ଲଗାଇବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏଭଳି ଚଢଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।