
-
ଦୁଇ ଚକିଆ ଯାନ ଯାଞ୍ଚ ୨୦ ମାମଲା ରୁଜ୍ଜୁ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଆରକ୍ଷୀ ଅଧୀକ୍ଷକ କନୱାର ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁବାର ଦିନ ଦୁଇ ଚକିଆ ଯାନକୁ ଯାଞ୍ଚ କରି ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି। ଯାନ ଚାଳକ ମାନଙ୍କୁ ଅଟକାଇ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ,ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଇଂସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଠିକ ନ ଥିବା ମଟର ସାଇକେଲ ଗୁଡିକ ଅଟକାଇ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଅମାନିଆ ଗାଡି ମାଲିକଙ୍କ ନାମରେ ପି ଆ ର କେଶ ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପରିଡା ସୂଚନା ଦେଇଥିଲେ।ସାଧାରଣରେ ଅପ୍ରାପ୍ତ ବୟସ୍କ ପୁଅ ଝିଅ ମାନେ ମୁଖ୍ୟ ରାସ୍ତା ଓ ଗାଁ ଗହଳି ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି।ଦୁର୍ଘଟଣାରେ ବହୁ ବ୍ୟକ୍ତି ଗୋଡ,ହାତ,ମୁଣ୍ଡ ଫାଟିବା ଦ୍ୱାରା ଅକର୍ମଣ୍ୟ ହେଉଛନ୍ତି।ସ୍ଥଳ ବିଶେଷରେ ମୃତ୍ୟୁ ମଧ୍ୟ ଘଟୁଛି।ଏହି ସବୁ ସମସ୍ୟା ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।ଅସ୍ତରଙ୍ଗ ଅଞ୍ଚଳରେ ପ୍ରତି ଦିନ ଦୁର୍ଘଟଣା ଘଟୁଥିବା ବେଳେ ମଦ୍ୟପାନ ପାନ କରି ଗାଡି ଚାଳନା କରିବା ଦୁର୍ଘଟଣାକୁ ଆହୁରି ଦ୍ୱିଗୁଣିତ କରି ଦେଉଛି।ଅସ୍ତରଙ୍ଗର ପୀର ଜାହାନିଆ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯୁବ ପର୍ଯ୍ୟଟକ ମାନେ ମଦ୍ୟପାନ ପର୍ଯ୍ୟଟନ ସ୍ଥଳୀରୁ ଫେରିବା ବେଳେ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଭୟଙ୍କର ଦୁର୍ଘଟଣା ଘଟାଉଛନ୍ତି।ଜନସାଧାରଣଙ୍କ ଜୀବନ ସୁରକ୍ଷା ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ଦୁର୍ଘଟଣାକୁ ସାମୟିକ ଭାବେ ଏଡ଼ାଇବା ପାଇଁ ଗାଡି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ପରିଡା କହିଛନ୍ତି।ଧନ ଜୀବନର ସୁରକ୍ଷା ଦାୟିତ୍ୱ ହେଉଛି ପୋଲିସର ପ୍ରଥମ କର୍ତ୍ତବ୍ୟ।ଏଥି ପ୍ରତି ପୋଲିସ ସବୁବେଳେ ଯତ୍ନବାନ ହେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ପୋଲିସ ଯତ୍ନବାନ ହେଲେ ଦୁର୍ଘଟଣା ଯୋଗୁଁ ଅକାଳରେ ଝଡି ପଡୁଥିବା ବହୁ ମୂଲ୍ୟବାନ ଜୀବନର ରକ୍ଷା ହୋଇପାରନ୍ତା।ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ଅଶୋକ ଦାଶ, ଏ ଏସ ଆଇ ରତ୍ନାକର ବେହେରାଙ୍କ ଏକ ସେକ୍ସନ ପୋଲିସ ନିୟୋଜିତ ଥିଲେ।