-
ସନ୍ତରଣରେ ଆଗ୍ରହୀ କ୍ରୀଡ଼ାବିତ୍ଙ୍କ ପାଇଁ ନାହିଁ ପ୍ରୋତ୍ସାହନ ଜାଗା ଅଭାବରୁ ହୋଇପାରୁନି ସୁଇମିଂପୁଲ୍ ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି କ୍ରୀଡ଼ାବିତ୍
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ବାଲେଶ୍ଵର ପରି ଏକ ଜିଲ୍ଲାରେ ସନ୍ତରଣ ପାଇଁ ଆଗ୍ରହୀ ଖେଳାଳିଙ୍କ ନିମନ୍ତେ ହୋଇନାହିଁ ବିଧିବଦ୍ଧ ସନ୍ତରଣର ବ୍ୟବସ୍ଥା। ବାଧ୍ୟ ହୋଇ ସନ୍ତରଣକାରୀ ପ୍ରତିଭାମାନେ ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି। ଏହା ଖେଳାଳିଙ୍କ ମନୋବଳକୁ ଭାଙ୍ଗି ଦେଉଥିବା ବେଳେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ନିଦାବିଷ୍ଣୁ ସାଜିବା ଜିଲ୍ଲା କ୍ରୀଡାପ୍ରମୀଙ୍କ ଭିତରେ ଚର୍ଚ୍ଚାର କାରଣ ହୋଇଛି।
ଅନ୍ୟାନ୍ୟ ଖେଳ ପରି ସୁଇମିଂରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ବା ଯୁବଗୋଷ୍ଠୀ କ୍ୟାରିୟର୍ କରିବାକୁ ଚାହିଁଥାନ୍ତି। ସେଥିପାଇଁ ଅନେକ ସ୍ଥାନରେ ସୁଇମିଂ କ୍ରୀଡ଼ାବିତ୍ଙ୍କ ପାଇଁ ସ୍ବତନ୍ତ୍ର ଭାବେ ସୁଇମିଂ ପୁଲ୍ ମଧ୍ୟ ନିର୍ମାଣ କରାଯାଇଛି। ଯାହଫଳରେ କ୍ରୀଡ଼ାବିତ୍ମାନେ ସେଠାରେ ପହଁରିବା ଅଭ୍ୟାସ କରିପାରୁଛନ୍ତି।
ବାଲେଶ୍ବର ଜିଲ୍ଲାରେ ସନ୍ତରଣ ପ୍ରତି ଆଗ୍ରହୀ ଥିବା କ୍ରୀଡ଼ାବିତ୍ ଙ୍କ ସଂଖ୍ୟା କିଛି କମ୍ ନୁହେଁ।କିନ୍ତୁ ପରିତାପର ବିଷୟ ଯେ, ସେମାନଙ୍କ ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆ ଯାଉନାହିଁ। ଏମିତିକି ସୁଇମିଂରେ କ୍ୟାରିୟର୍ କରିବାକୁ ଚାହୁଁଥିବା କ୍ରୀଡ଼ାବିତ୍ମାନଙ୍କ ପାଇଁ ବାଲେଶ୍ବରରେ ସୁଇମିଂପୁଲ୍ ଟିଏ ବି ନାହିଁ। ଫଳରେ କ୍ରୀଡ଼ାବିତ୍ମାନେ ଅଭ୍ୟାସ କରିବା ଲାଗି ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି। ନହେଲେ ପୋଖରୀରେ ଅଭ୍ୟାସ କରୁଥିବା କଥା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଏବେ ବାଲେଶ୍ବର ଜିଲ୍ଲାରେ ପ୍ରାୟ ୨୦ ଜଣ ସନ୍ତରଣକାରୀ କ୍ରୀଡ଼ାବିତ୍ ରହିଛନ୍ତି। ଜିଲ୍ଲାରେ କିନ୍ତୁ ଏମାନଙ୍କ ପାଇଁ କିଛି ବି ସୁବିଧା ନାହିଁ। ଫଳରେ ଅନେକେ ଏଥିପ୍ରତି ଅନାଗ୍ରହୀ ହେଉଥିବା ଚିନ୍ତାର ବିଷୟ ହୋଇଛି। ଜିଲ୍ଲାରେ ନା ସେମାନଙ୍କ ପାଇଁ ସୁଇମିଂପୁଲ୍ ଅଛି ନା କୋଚ୍ ଅଛନ୍ତି। ତେଣୁ ସୁଇମିଂ ପାଇଁ ଯେଉଁମାନେ ଇଚ୍ଛୁକ ସେମାନଙ୍କୁ ଅନ୍ୟ ଜିଲ୍ଲାକୁ ପଠାଇ କୋଚିଂର ସୁବିଧା ଦିଆଯାଉଛି।
ସରକାରୀ ସ୍ତରରେ ସେମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ସୁଯୋଗ ଏପର୍ଯ୍ୟନ୍ତ ଯୋଗାଇ ଦିଆ ଯାଇନାହିଁ। ଫଳରେ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପଠାଇ
ଦିଆ ଯାଉଛି। ବ୍ଳକ୍ କିମ୍ବା ଜିଲ୍ଲାସ୍ତରରେ ସେମାନଙ୍କ ପାଇଁ କୌଣସି ପ୍ରତିଯୋଗିତା କିମ୍ବା ଉଦ୍ୟମ କରାଯାଉନାହିଁ। ଏମିତିକି ଜିଲ୍ଲାର ସୁଇମିଂ କ୍ରୀଡ଼ାବିତ୍ମାନେ ଅଭ୍ୟାସ କରିବା ପାଇଁ କୌଣସି ପ୍ରକାର ସୁବିଧା ବି ପାଉନାହାଁନ୍ତି। ଫଳରେ ସେମାନଙ୍କୁ
ପହଁରିବା ପାଇଁ ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡ଼ୁଛି। “ଯେଉଁମାନେ ସୁଇମିଂରେ କ୍ୟାରିୟର୍ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ଚୟନ କରି ସିଧାସଳଖ ରାଜ୍ୟସ୍ତରକୁ ପଠାଉଛୁ। ଆମର ରାଜ୍ୟସ୍ତରୀୟ ଟ୍ରେନିଂ ଯେତେବେଳେ ହେଉଛି ଆମେ
ଏଠାରୁ ଚୟନ କରି ପଠାଉଛୁ। ସେଥିପାଇଁ ବ୍ଳକ୍ ସ୍ତରୀୟ କି ଜିଲ୍ଲାସ୍ତରୀୟ କିଛି ପ୍ରତିଯୋଗିତା ହେଉନାହିଁ। ଆବଶ୍ୟକ ପଡ଼ିଲେ ବାଲେଶ୍ବରରେ ମଡର୍ଣ୍ଣ ପବ୍ଲିକ ସ୍କୁଲ ନହେଲେ ବାଲେଶ୍ବର କ୍ଲବରେ ଥିବା ସୁଇମିଂପୁଲ୍ରେ ପିଲାମାନେ ଅଭ୍ୟାସ କରନ୍ତି। ଆମେ ସେମାନଙ୍କଠୁ ଅନୁମତି ନେଇ ସୁଇମିଂପୁଲ୍ରେ ଅଭ୍ୟାସ ପାଇଁ ପଠାଉଛୁ। ସରକାରଙ୍କ ପକ୍ଷରୁ ସୁଇମିଂପୁଲ୍ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। କିନ୍ତୁ ଆମେ ଜାଗା ଚିହ୍ନଟ କରିପାରିଲୁ ନାହିଁ। ସହରରେ ସୁଇମିଂପୁଲ୍ ନିର୍ମାଣ ପାଇଁ ଭଲ ଜାଗା ବି ନାହିଁ। ଜାଗା ଗୋଟେ ଚିହ୍ନଟ କରି ଦେଲେ ସୁଇମିଂ ପୁଲ୍ ନିର୍ମାଣ ହୋଇପାରିବ।
ସରକାରଙ୍କ ଯୋଜନାରେ ବାଲେଶ୍ବରରେ ସୁଇମିଂ ପୁଲ୍ ହେବାର ସମ୍ଭାବନା ରହିଛି” ବୋଲି କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା କହିଛନ୍ତି। “ମୋର ପିଲାବେଳୁ ହିଁ ସୁଇମିଂ ପ୍ରତି ଆଗ୍ରହ ରହିଛି। କିନ୍ତୁ ଏଠାରେ କେହି ମାର୍ଗଦର୍ଶକ (କୋଚ୍) ନାହାଁନ୍ତି, ତେଣୁ ନିଜର ଇଚ୍ଛାଶକ୍ତି ବଳରେ ରାଜ୍ୟସ୍ତରରେ ମେଡାଲ ପାଇଛି। ଏବେ ମୁଁ ଜାତୀୟସ୍ତର ପାଇଁ ପ୍ରସ୍ତୁତ ହେଉଛି। ଜିଲ୍ଲାର ସୁବିଧା ହେଲେ ଭଲ ହୁଅନ୍ତା। ଅଭ୍ୟାସ ପାଇଁ କିଛି ସୁବିଧା ନାହିଁ। ବାଧ୍ୟହୋଇ ଆମେ ପୋଖରୀରେ ଅଭ୍ୟାସ କରୁ। ସରକାର ପକ୍ଷରୁ ଯଦି ସେମିତି ପ୍ରୋତ୍ସାହନ ମିଳନ୍ତା ତାହେଲେ ଅନେକେ ଏଥିପ୍ରତି ଆଗ୍ରହ ବଢ଼ାନ୍ତେ। ମୁଁ ବି କିଛି ପିଲାଙ୍କୁ ସୁଇମିଂ ଶିଖାଉଛି” ବୋଲି ସୁଇମିଂ ଖେଳାଳୀ ଉମେଶ ଚରଣ ବେହେରା କହିଛନ୍ତି।