-
ବାଚସ୍ପତି ଦୁଇଥର କଲେ ଗୃହକୁ ମୁଲତବୀ
-
ସରକାରୀ ଦଳର ବିଧାୟକ ମାନେ କଲେ ଏମଏସପି ବୃଦ୍ଧିର ଦାବି
-
ବିରୋଧୀ ଦଳର ବିଧାୟକ ମାନେ ଫସଲ ବୀମା ଓ ଚାଷୀଙ୍କ ଅନ୍ୟ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲେ
ଭୁବନେଶ୍ୱର, ଚାଷୀ ପ୍ରସଙ୍ଗରେ ଆଜି ସରକାରୀ ଦଳ ଓ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ହଟ୍ଟଗୋଳ କରିବାକୁ ବିଧାନସଭାରେ ଆଜି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କୌଣସି କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା କାରଣରୁ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦୁଇଥର ମୁଲତବୀ ରଖିଥିଲେ । ପ୍ରଥମେ 11.30 ଯାଏ ଓ ପରେ 11.30କୁ 4 ଟା ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଶୁକ୍ରବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ହେଲେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକ ମାନେ ହଠାତ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା ।
ସରକାରୀ ଦଳର ବିଧାୟକ ବ୍ୟୋମକେଶ ରାୟ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟ ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ଚାଷୀ ମାନଙ୍କ ପାଇଁ ଏମଏସପି ବଢାଇବାକୁ ଦାବି କରିବା ସହ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ମୁକେଶ ମହାଲିଙ୍ଗ,କୁସୁମ ଟେଟେ ଓ ଅନ୍ୟ ବିଜେପି ବିଧାୟକ ମାନେ ରାଜ୍ୟ ସରକାରଙ୍କ ଚାଷୀବିରୋଧୀ ନୀତି,ଫସଲ ବୀମା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ଓ ଅନ୍ୟ ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ ପକ୍ଷରେ ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯରେ ସହଯୋଗ କରିବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ତେବେ ସ୍ଥିତିରେ ସୁଧାର ନ ଆସିବାରୁ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ସେହିପରି 11.30ରେ ପୁଣି ଥରେ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଚାଷୀ ସମସ୍ୟାକୁ ନେଇ ସେହି ସମାନ ସ୍ଥିତି ଦେଖା ଦେଇଥିଲା । ଏହି କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ 4 ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।