ଗଞ୍ଜାମ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଶୈକ୍ଷିକ, ବୌଦ୍ଧିକ ଓ ପରିବେଶର ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ୟୁ.ଜି.ସି.ର ୫ ଜଣିଆ ନାକ୍ ଟିମ୍ ତିନି ଦିନିଆ ପରିଦର୍ଶନରେ ଆସିଛନ୍ତି । ଏହି ଟିମ୍ ଗତକାଲି ଦ୍ଵିତୀୟ ଦିନରେ ଆର୍ମି ଏଡି କଲେଜ ପରିଦର୍ଶନ କରିବା ସହ ବିଶ୍ଵବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି । ଆର୍ମି ଏଡି କଲେଜ ପରିଦର୍ଶନ କରି ବିଶ୍ଵବିଦ୍ୟାଳୟ ଅଧିନରେ ପରିଚାଳିତ ୪ଟି ପାଠ୍ୟକ୍ରମର ପାଠ୍ୟଖସଡ଼ା, ପରୀକ୍ଷା ପରିଚାଳନା ଓ ପରୀକ୍ଷା ଫଳ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ପାଠାଗାର, କ୍ରୀଡ଼ା ପରିଷଦ, ପାର୍କ, ବ୍ୟାଙ୍କ, ମେଡ଼ିକାଲ, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ, କମ୍ପ୍ୟୁଟର ସେଂଟର, ପ୍ଲେସମେଂଟ ସେଲ୍, ଜାତୀୟ ସେବା ଯୋଜନା (ଏନଏସଏସ) କାର୍ଯ୍ୟାଳୟ, ଉଚ୍ଚ ମାଧ୍ୟମିକ ସ୍କୁଲ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର, ଆଇକ୍ୟୁଏସି ସେଂଟର, ସିଆଇସି (କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର)ରେ ଥିବା ପଦାର୍ଥ ବିଜ୍ଞାନ ଏବଂ ବାୟୋଟେକ୍ନୋଲୋଜିର ପରୀକ୍ଷାଗାର ଦେଖିବା ସହ ଗବେଷକ ଓ ଗବେଷିକାଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନିକ କୋଠା ସହ କୂଳସଚିବଙ୍କ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ଏହା ସହ ଆଲୁମିନି, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ, ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ସ୍ଵୀକୃତିପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ରୀ ନିବାସ ଯାଇ ସେଠାରେ ଅନ୍ତେବାସୀଙ୍କ ରହିବା, ଖାଇବା ଆଦି ବିଷୟରେ ପଚାରି ବୁଝିବା ସହ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଜିଆ ଖତ ପ୍ରକଳ୍ପ ବୁଲି ଦେଖିଥିଲେ । ଦ୍ଵିତୀୟ ଦିନରେ ନାକ୍ ଟିମ୍ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିବା କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି । ଦାୟିତ୍ଵରେ ଥିବା ଶିକ୍ଷକ, ଅଣଶିକ୍ଷକ, କର୍ମଚାରୀ ମାନେ ସଠିକ୍ ଭାବେ ନିଜର ଦାୟିତ୍ଵ ସମ୍ପାଦନ କରୁଥିବାରୁ ଖୁସି ହେବା ସହ ପାଠାଗାରକୁ ଅଧିକ ଉନ୍ନତ କରିବାକୁ ପରାମର୍ଶ ଦେଇଥିବା କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି ।
୨୩ ତାରିଖ ପ୍ରଥମ ଦିନରେ ଏହି ଟିମ୍ ବିଶ୍ଵବିଦ୍ୟାଳୟର ୨୧ ଟି ବିଭାଗ ବୁଲି ଦେଖିଥିଲେ । ଏହି ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ବିଜ୍ଞାନ ଓ କଳାସ୍ରୋତର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ଗୋଟିଏ ଟିମ୍ ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ବାୟୋଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ, ଗଣିତ, ଇଲେକ୍ଟ୍ରୋନିକ୍ସ ସାଇନ୍ସ, ପରିବେଶ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ପରିଦର୍ଶନ କରିଥିଲେ । ଅନ୍ୟ ଦଳଟି ଆଇଆର ଆଣ୍ଡ ପିଏମ, ବାଣିଜ୍ୟ, ଏମବିଏ, ଅର୍ଥନୀତି, ଗୃହ ବିଜ୍ଞାନ, ଓଡ଼ିଆ, ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ଲିଙ୍ଗୁଇଷ୍ଟିକ୍ ଓ ଆଇନ ବିଭାଗ ପରିଦର୍ଶନ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଶୈକ୍ଷିକ ଭିତିଭୂମିର ଅନୁଧ୍ୟାନ କରିଥିଲେ ।
ମିଜୋରାମ ବିଶ୍ଵବିଦ୍ୟାଳୟର କୂଳପତି ଡଃ. କେ.ଆର.ଏସ. ଶାମ୍ବାଶିବ ରାଓଙ୍କ ନେତୃତ୍ଵରେ କର୍ଣ୍ଣାଟକ ସ୍ଥିତ ଟୁମପୁର ବିଶ୍ଵବିଦ୍ୟାଳୟର ଡିନ୍ ଡଃ. ନୂର ଆଫଜା, ଅହମ୍ମଦାବାଦ ସ୍ଥିତ ଗୁଜୁରାଟ ବିଶ୍ଵବିଦ୍ୟାଳୟର ପ୍ରଫେସର ମନୋଜ କୁମାର ଶାସ୍ତ୍ରୀ, ଜାମ୍ମୁ-କାଶ୍ମିର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଡିନ୍ ଡଃ. ଦେବାନନ୍ଦ ପଣ୍ଡା, କେରଳ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପ୍ରଫେସର ଡଃ. ଜହନ୍ ମୋଲାକାଟୁ ଷ୍ଟିଫେନ୍ ଏହି ଦଳରେ ସାମିଲ୍ ଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ୨୦୧୬ ରେ ନାକ୍ ଟିମ୍ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିଦର୍ଶନରେ ଆସି ଏ ଗ୍ରେଡ୍ ମାନ୍ୟତା ପ୍ରଦାନ କରିଥିଲେ । ଏଥର ଏହି ମାନ୍ୟତାରେ ସୁଧାର ଆସିବ ବୋଲି ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଆଶା ରଖିଛନ୍ତି ।