
-
ଶିକ୍ଷା, ଦକ୍ଷତା ବିକାଶ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-
୪ଟି ଆଫ୍ରିକୀୟ ଦେଶର ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଦେଇ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
-
ଓଡ଼ିଶାର ପଟ୍ଟଚିତ୍ର ହେଉଛି, ଭାରତ ଆଉ ଆଫ୍ରିକା ଭିତରେ ସମ୍ପର୍କର ସେତୁ
-
ଉଭୟ ଦେଶର ବନ୍ଧୁତାର ଏହି ପଟ୍ଟଚିତ୍ର ଅନନ୍ୟ ନିଦର୍ଶନ
-
ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ଯୋଗଦାନକୁ ନେଇ ଆଲୋଚନା ଫଳପ୍ରଦ ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ୪ଟି ଆଫ୍ରିକୀୟ ଦେଶ ତଥା ମରିସୟସ, ତାଞ୍ଜାନିଆ, ଜିମ୍ବାଓ୍ୱେ ଏବଂ ଘାନାର ଶିକ୍ଷା ମନ୍ତ୍ରୀଙ୍କ ସହ ପୃଥକ ପୃଥକ ବୈଠକ କରିଛନ୍ତି । ବୈଠକରେ ଶିକ୍ଷା, ଦକ୍ଷତା ବିକାଶ, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗୀ ହେବା ଦିଗରେ ବିସ୍ତୁତ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସବୁ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ଭାବରେ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ ।
ମରିସିୟସର ଉପ ପ୍ରଧାନମନ୍ତ୍ରୀ ତଥା ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଲିଲା ଦେଭି ଦୁକୁନ ଲୁଚୁମୁନଙ୍କ ସହ ସାକ୍ଷାତ୍ କରି ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ଷମତା ଗଠନ ଦିଗରେ ବିସ୍ତୁତ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସିୟସ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଭାରତ ମରିସିୟସକୁ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ଜ୍ଞାନ ଏବଂ ଦକ୍ଷତା ବିକାଶର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି ।
ତାଞ୍ଜାନିଆ ଏବଂ ଜାଞ୍ଜିବାରର ଶିକ୍ଷା ଓ ଧନ୍ଦାମୂଳକ ତାଲିମ ମନ୍ତ୍ରୀ ଲୀଲା ମହମ୍ମଦ ମୁସାଙ୍କ ସହ ଜ୍ଞାନ ଏବଂ କୌଶଳରେ ଭାଗିଦାରୀତାକୁ ଦ୍ୱିପାକ୍ଷିକ ସମ୍ପର୍କର ମଖ୍ୟ ସ୍ତମ୍ଭ ଭାବରେ ଗଠନ କରିବା ଦିଗରେ ଫଳପ୍ରଦ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ତାଞ୍ଜାନିଆକୁ ଆଇଆଇଟି ପ୍ରକଳ୍ପ ପ୍ରତିଷ୍ଠା କରିବାରେ ସହଯୋଗ କରୁଛି । ଫଳସ୍ୱରୂପ ତାଞ୍ଜାନିଆରେ ଥିବା ଆଇଆଇଟି ଆଫ୍ରିକାର ପ୍ରଯୁକ୍ତିବିଦ୍ୟା ଶିକ୍ଷା କ୍ଷେତ୍ରରେ ଏକ ପେଣ୍ଠସ୍ଥଳୀ ଭାବରେ ପରିଣତ ହୋଇପାରିବ । ଜାଞ୍ଜିବାରରେ ଏକବିଂଶ ଶତାବ୍ଦୀ ଦକ୍ଷତା କେନ୍ଦ୍ର ସ୍ଥାପନ କରିବା ପାଇଁ ଭାରତ ଇଚ୍ଛାପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ ଜଣାଇଥିଲେ । ଜାତୀୟ ଶିକ୍ଷା ନୀତି ଭାରତରେ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି । ଶ୍ରୀ ପ୍ରଧାନ ଆଫ୍ରିକା ଓ ତାଞ୍ଜାନିଆ ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢିବା ପାଇଁ ନିମନ୍ତ୍ରଣ କରିଥିଲେ ।
ସେହିପରି ଜିମ୍ବାଓ୍ୱେର ଶିକ୍ଷା ଓ ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ମନ୍ତ୍ରୀ ରେମର୍ ମାଚିନଙ୍ଗୁରାଙ୍କ ସହ ଭାବରେ ଶିକ୍ଷା ଏବଂ ଦକ୍ଷତା ବିକାଶରେ ସହଭାଗୀତାକୁ ଦୃଢ଼ କରିବା ସହ ଉଭୟ ଦେଶ ମଧ୍ୟରେ କ୍ଷମତା ଗଠନ, ଶିକ୍ଷା ଓ ଦକ୍ଷତା ବିକାଶକୁ ନେଇ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ ନେଇ ଆଲୋଚନା ହୋଇଥିଲା । ଏହାବ୍ୟତିତ ଘାନାର ଶିକ୍ଷା ମନ୍ତ୍ରୀ ଜନ୍ ନୀତିମ ଫରଦୁଜରଙ୍କ ସହ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆହୁରି ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତ ଓ ଘାନା ମଧ୍ୟରେ ପୌଢ଼ ଶିକ୍ଷାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ଦିଗରେ ପ୍ରସ୍ତାବ ରଖିଥିଲେ ।
ସବୁ ଶିକ୍ଷା ମନ୍ତ୍ରୀଙ୍କ ପଟ୍ଟଚିତ୍ର ଉପହାର ସ୍ୱରୂପ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ପଟ୍ଟଚିତ୍ର ହେଉଛି, ଭାରତ ଆଉ ଆଫ୍ରିକା ଭିତରେ ସମ୍ପର୍କର ସେତୁ। ଉଭୟ ଦେଶର ବନ୍ଧୁତାର ଏହି ପଟ୍ଟଚିତ୍ର ଅନନ୍ୟ ନିଦର୍ଶନ ।
ଉଲ୍ଲେଖଯୋଗ୍ୟ, ଏହି ବୈଠକ ବ୍ୟତିତ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ ଆଉ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇସିଏଚଆର ଦ୍ୱାରା ପ୍ରସ୍ତୁତ ପୁସ୍ତକ “ଭାରତ ଗଣତନ୍ତ୍ରର ଜନନୀ” ଉନ୍ମୋଚନ କରିଥିଲେ ।